ଦୁନିଆଁଟା ଦିନକୁ ଦିନ ବହୁତ ଛୋଟ ହେଇଯାଉଚିରେ ଭାଇ । ଦିନ ଥିଲା ଯେତେବେଳେ ଦୂରଦୂରାନ୍ତରେ ଥିବା ବନ୍ଧୁ ପରିଜନ ସମ୍ପର୍କୀୟଙ୍କ ସହ ଭାବର ଆଦାନ ପ୍ରଦାନ କେବଳ ଚିଠି ଦ୍ୱାରା ହେଉଥିଲା । ସେତେବେଳେ ଲୋକମାନେ ଯାହା କିଛି ଲେଖୁଥିଲେ ଭବିଷ୍ୟତ କାଳରେ ଚିଠି ଲେଖୁଥିଲେ । ଯେମିତିକି , ଆଶା ଏ ଚିଠି ପଢିଲା ବେଳକୁ ଆପଣ ଭଲରେ ଥିବେ । ଆଶା, ଚିଠି ପାଇଲାବେଳକୁ ଏ’ କାମ ସାରିଥିବେ କି ସେସବୁ କରେଇ ନେଇଥିବେ । ବେଳେ ବେଳେ ଦାଦାଙ୍କୁ ପ୍ରଣାମ ଜଣେଇ ଲେଖା ହେଇଥିବା ଚିଠି ଦାଦାଙ୍କ ଦଶାହ ଦିନ ଯାଇ ପହଞ୍ଚୁଥିଲା । ଆସିଗଲା ଲ୍ୟାଣ୍ଡଫୋନ । ଲୋକମାନେ ସବୁ ବର୍ତ୍ତମାନ କାଳରେ କଥା ହେବା ଶିଖିଗଲେ । ପରେ ପରେ ଫାକ୍ସ ଆଉ ଏବେ ଏବେ ମୋବାଇଲ । କିନ୍ତୁ ତା ସହ ତାଳ ଦେଇ ଆଉ ଗୋଟେ ଯନ୍ତ୍ରର ବ୍ୟବହାର ଖୁବ କ୍ଷୀପ୍ର ଗତିରେ ପ୍ରସାରିତ ହୋଇସାରିଥିଲା । ତାହା ହେଲା କମ୍ପ୍ୟୁଟର । ଆଜି ବି ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷରେ ମୋବାଇଲ ଅପେକ୍ଷା କମ୍ପ୍ୟୁଟର ଉପରେ ବେଶି ନିର୍ଭଳଶୀଳ ।
ଆଉ ଏ ସବୁ ଭିତରେ ସନ ୨୦୦୪ରେ ଯେତେବେଳେ ଭାରତରେ ସୁନାମୀ ଓ ତିନି ତିନିଟା ରାଜ୍ୟର ପୋଲିସ ଗୋଟେ ଚନ୍ଦନ କାଠ ଚୋରକୁ ଜଙ୍ଗଲରେ ଖୋଜୁଥିଲେ ସେତେବେଳ ହାଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ମାର୍କ ଜୁକରବର୍ଗ ମୁଣ୍ଡରେ ଗୋଟେ ଅଦ୍ଭୁତ ଦୁନିଆଁର ପରିକଳ୍ପନା ଚାଲିଥିଲା । ଯାହା ପରେ ଫେସବୁକ ନାମରେ ପ୍ରସିଦ୍ଧି ପାଇଲା । ଏହି ଦୁନିଆଁ ଲୋକଙ୍କ ଜୀବନକୁ ଏପରି ପ୍ରଭାବିତ କରିଛି ଯେ ଲୋକେ ଅସଲି ଜୀବନକୁ ପୋଡ଼ି ଖାଇଗଲେଣି । ଅବସ୍ଥା ଏପରି ହେଲାଣି ଯେ ମଦୁଆ ମଦ ଛାଡ଼ିଦେଵ , ଗଞ୍ଜଡ଼ ଗଞ୍ଜେଇ , ପାନୁଆ ପାନ କି ମିଛୁଆ ମିଛ କିନ୍ତୁ ଫେସବୁକକୁ ନୁହେଁ । ଏ ସବୁ ଫେସବୁକ , ଇନ୍ସଟାଗ୍ରାମ , ହ୍ଵାଟ୍ସଆପ ଭଳି ସୋସିଆଲ ନେଟୱର୍କ କଥା ହେବାର ଦୂରତାକୁ ସିନା କମେଇଦେଲା କିନ୍ତୁ ସମ୍ପର୍କକୁ କାହିଁ କେତେ ବାଟ ଠେଲିଦେଲା । ଆଜି ଗୋଟିଏ ଘରେ ରହୁଥିବା ପରିବାର ଲୋକ ପରସ୍ପରର ଭଲ ମନ୍ଦ ଫେସବୁକ ଷ୍ଟାଟସରୁ ଜାଣୁଛନ୍ତି । ସିଗାରେଟ ଖୋଳରେ ଯେମିତି ବୈଧାନିକ ସତର୍କତା ଲେଖାଯାଉଛି ଠିକ ସେମିତି ଫେସବୁକ ଲଗ ଇନ୍ କଲାମାତ୍ରେ ଦିନେ ଲେଖା ଆସିବ ,”ଫେସବୁକ ଇଜ ଡେଂଜର୍ସ ଫର ୟୋର ପର୍ସନାଲ ଲାଇଫ।” କେବଳ କିଛି ଲୋକଙ୍କ ସମୟକୁ ଚିକ୍କଣ କରି ଖାଇବା ଓ ଆଉ କିଛି ଲୋକଙ୍କୁ ଉପର ଠାଉରିଆ ବନ୍ଧୁ ବନେଇବା ଛଡା ବେଶି କିଛି ଭୂମିକା ଥାଏ କି ତାର !
ବଡ଼ କଥା ହେଲା ଲୋକ ଷ୍ଟାଟସରେ ଲେଖିବା କି ଫଟୋ ପଠେଇଲା ମାତ୍ରେ ଉତ୍ତର ଦେବାକୁ ବନ୍ଧୁଙ୍କର ଅଭାବ ରୁହେନି । ଥରେ ନିଜ ବାପର ଜୁଇ ସାମ୍ନାରେ ଛିଡା ହେଇ ସେଲଫି ନେଇଥିବା ଫୋଟୋକୁ ପୁଅ ଫେସବୁକରେ ଛାଡୁ ଛାଡୁ ସେପଟୁ କମେଣ୍ଟ ଆସିଗଲା , ‘ବିୟୁଟିଫୁଲ ‘ ‘ନାଇସ ପୋଷ୍ଟ ” ଚାଁହୁ ଚାହୁଁ ଦଶ ମିନିଟ ଭିତରେ ଲାଇକ୍ ଓ କମେଣ୍ଟ ମିଶିକି ପାଞ୍ଚଶହ ପ୍ରାୟ ଆସିଗଲା । ଶେଷରେ ବାଧ୍ୟହେଇ ପୁଅକୁ ଲେଖିବାକୁ ପଡିଲା ଯେ ପଛରେ ଜଳୁଥିବା ଚିତା ତା’ ବାପାଙ୍କର । ସଙ୍ଗେ ସଙ୍ଗେ ପୁଣି କମେଣ୍ଟ ଆସିଲା” ଆର .ଆଇ.ପି ମାନେ ରେଷ୍ଟ ଇନ୍ ପିସ ,” ଥ୍ୟଙ୍କସ୍ ଇନ୍ ଆଡ଼ଭାନ୍ସ ଫର ୟୋର ଇନ୍ଭିଟେସନ ଟୁ ୟୋର ଫାଦର୍ସ ଏକାଦଶହ ।”
ଏମିତି ମତ ବି ଆସିଲା ,” ଭାଇ ମଉସାଙ୍କ କଥା ଶୁଣି ଦୁଃଖ ଲାଗିଲା । ବାହାଘରକୁ ତ ଡାକିନଥିଲ ଏକାଦଶାହକୁ ଡାକିବ ନା ନାହିଁ ?”
କିଛି ଦିନ ତଳେ ଖବରକାଗଜରେ ପଢ଼ିଥିଲି ଜଣଙ୍କ ଘରୁ ଚୋରି ହେଲା। ଚୋର ଧରା ପଡ଼ିଲାପରେ ଜଣାପଡିଲା ଯେ ଗୃହକର୍ତ୍ତା ତାଙ୍କ ଫେସବୁକ ଷ୍ଟାଟସରେ ଲେଖିଥିଲେ,” ଫିଲିଙ୍ଗ ହାପି ଇନ୍ ଦାର୍ଜିଲିଂ ଉଇଥ ହୋଲ ଫ୍ୟାମିଲି ।” ତେଣୁ ଚୋର “ସବକା ସାଥ ସବକା ବିକାଶ ” ନାରାରେ ଉଦବୁଦ୍ଧ ହେଇ ନିଜର ବିକାଶ ପାଇଁ ବିଚରା ଗୃହକର୍ତ୍ତାଙ୍କ ଘରେ କଳାକନା ବୁଲେଇଦେଲା । ଦିନ ଏବେ ଏଠି ପହଂଚିଲାଣି ଯେ ଅଗ୍ନିକୁ ସାକ୍ଷୀ ରଖି ଯାହାକୁ କାୟମନୋବାକ୍ୟରେ ସବୁ ସମର୍ପି ଦେବୁ ବୋଲି କଥା ଦେଇଥିଲୁ ତାକୁ ନିଜର ଫେସବୁକ କି ହ୍ଵାଟ୍ସଆପ ଖୋଲିବାର ପାସୱର୍ଡ ଦେବାକୁ କୁଣ୍ଠାବୋଧ କରୁଚୁ । ଯୋଉ ମନର କଥା ଆମେ ନିଜ ବାପା ମାଆ , ଭାଇ ଭଉଣୀ କିମ୍ବା ନିଜ ପତି କି ପତ୍ନୀଙ୍କୁ କହିପାରୁନୁ ତାକୁ ଆମେ ସୋସିଆଲ ମିଡିଆରେ ଢୋଲ ପିଟି ସାତକୁ ସତୁରୀ କରି କହିପାରୁଛୁ ।
ଆଜି ଚନ୍ଦ୍ରରେ କଣ ଘଟୁଛି ଲୋକ ଜାଣିପାରୁଛନ୍ତି କିନ୍ତୁ ତିନିଟି ଜିନିଷ ବିଷୟରେ ଆମେ ଏବେବି ଅଜ୍ଞ – ଏ ଦେଶରେ ବିକାଶ କେବେ ଆସିବ , କଟକରେ ଯାଇକା କାମ କେବେ ସରିବ ଓ ଏ ବିଶ୍ୱସୁନ୍ଦରୀ ଅଂଜେଲ ପ୍ରିୟା କିଏ ! କାଲି ଜଣେ ବନ୍ଧୁ କହିଲେ ଯଦି ତୁମ ଆଇଡିରେ କୌଣସି ଅଂଜେଲ ପ୍ରିୟା କି ଡାଜଲିଂ ରୋଜିର ଫ୍ରେଣ୍ଡ ରିକୁୱେଷ୍ଟ ଆସେ ତେବେ ବେଶି କୁରୁଳିବାର ନାହିଁ କାରଣ ଏହା ଭିତରୁ ହୁଏତ ଅନେକ ଆଇଡି ତୁମ ପତ୍ନୀଙ୍କ ତରଫରୁ ଆସିଥାଇପାରେ । ତେଣୁ ଦେଖି ଚାହିଁ ଫ୍ରେଣ୍ଡସ ରିକ୍ୱେଷ୍ଟକୁ ଗ୍ରହଣ କରିବ । ନଚେତ ତୁମର ଏ ଅହେତୁକ କୁରୁଳା ରୋଗ ପାଇଁ ପତ୍ନୀ ଏବେ ନିମ୍ବତେଲ କିଣି ଘରେ ରଖିଛନ୍ତି ଯାହାର ଉତ୍ତମ ମାର୍ଜନା ଦ୍ୱାରା ଶରୀରରେ ଥିବା ସମସ୍ତ ପ୍ରକାରର ଡିସ୍କୋ ରୋଗ ଥରକେ ଭଲ ହେଇଯିବ ।
ଆଜି ଏ ସୋସିଆଲ ନେଟୱର୍କ ତୁମର ପର୍ସନାଲ ଡାଟା ନେଇଛି କାଲି ପର୍ସନାଲ ଲାଇଫ ନେବ ଆଉ ତା ପରେ ତୁମ ପର୍ସନାଲ ମନକୁ ବି ତୁମଠୁ ଚୋରେଇନେବ । ସେତେବେଳକୁ ମାରିନେଲେ ମହାପାତ୍ରେ ଚାହିଁଥିବ ଜଳକା ହେବା ସାର ହେବ । ଆଉ ସେତେବେଳକୁ ଉତ୍ତମ ବନ୍ଧୁର ସଂଜ୍ଞା ଦେଉଥିବା କେହି ବି ଗୋଟେ ଅଧେ ବନ୍ଧୁ ତୁମ ପିଠିରେ ପଡିବେନି ।
ବନମାଳୀ ଭବନ
ଖାନନଗର , କଟକ
Comments are closed.