ଗତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର କଥା । କହିଲେ କୁଳ କୁଟୁମ୍ବକୁ ଲାଜ । ଭାବିଲେ ଦେହ ଶୀତେଇ ଯାଉଛି । କଣ କହିବି ? ଭଗବାନ ଏପରି ଦୁର୍ଘଟଣା ଆଉ କାହା ସହ ନ ଘଟାନ୍ତୁ । ଦିନ ପ୍ରାୟ ବାରଟା କି ଗୋଟାଏ ହେବ ଦେଖିଲି ଟେବୁଲ ଉପରେ ଗୋଟେ ରାକ୍ଷୀ ଥୁଆ ହୋଇଛି । ମୋ ଭଉଣୀ ତ ରାକ୍ଷୀ ବନ୍ଧା କାମ ସାରି କେତେବେଳୁ ଚାଲିଗଲାଣି । ପୁଣି ଏ ରାକ୍ଷୀଟା କାହାର ? ଚେହେରାରୁ ତ ଦାମୀ ଭଳି ଦିଶୁଛି । ବୋଧେ ଭଉଣୀ ଆଉ କାହା ପାଇଁ ଆଣିଥିଲା ଏଠି ଛାଡି ଯାଇଛି ନା ଆମ ପତ୍ନୀ ତାଙ୍କ ଭାଇଙ୍କ ପାଇଁ ଆଣି ରଖିଛନ୍ତି ! ଆମର ଯାହା ମନେ ଅଛି ଆମ ପତ୍ନୀ ତାଙ୍କ ଭାଇଙ୍କ ପାଇଁ ରାକ୍ଷୀ ବହୁଦିନ ଆଗରୁ କୋରିୟର କରି ତାଙ୍କ ଘରକୁ ପଠେଇ ଦେଇଥିଲେ । ଆଉ କିଏ ବୋଧେ ସକାଳୁ ସକାଳୁ ଆସିଥିଲା । ମୋତେ ହୁଏତ ଶୋଇଥିବା ଦେଖି ରାକ୍ଷୀଟା ଥୋଇ ଦେଇ ଯାଇଛି ।
ପତ୍ନୀଙ୍କୁ ପଚାରିଲି ,’ଏ ରାକ୍ଷୀ କାହାର ? କିଏ ଏଠି ଥୋଇଛି ?” ପତ୍ନୀ କିଛି ନ କହି ଟିକେ ମୁରୁକି ଦେଲେ– ସେ ରାକ୍ଷୀ କଥା ପଛେ , ତୁମେ ଟିକେ ମୋ ସହ ଏହି ପାଖ ମାର୍କେଟକୁ ଚାଲ । କାହିଁକି ପଚାରିବାରୁ କହିଲେ ,”ଓହୋ ଏତେ ପ୍ରଶ୍ନ କଣ । ଶୀଘ୍ର ଯାଇ ଶୀଘ୍ର ଫେରି ଆସିବା । ”
ପତ୍ନୀ ବୋଧେ ପ୍ରସ୍ତୁତ ଥିଲେ ସାଙ୍ଗେ ସାଙ୍ଗେ ବାହାରିଲେ ନହେଲେ ହେଇ ଆସୁଛି କହି ଅପେକ୍ଷାରେ ସ୍ୱାମୀ ନାମକ ଜୀବକୁ ଦେଢ଼ଘଣ୍ଟିଆ ଶାସ୍ତି ମିଳେ । ମୁଁ ଗାଡି ଚାବି ଖୋଜୁଥିବାର ଦେଖି ପତ୍ନୀ କହିଲେ , ” ଥାଉ ଗାଡି ଦରକାର ନାହିଁ ଏଇ ପାଖକୁ ତ ଯିବା । ଆଜି ସାଙ୍ଗ ହେଇ ଚାଲି ଚାଲି ଯିବା ।” ଆଜି ମୋ ରାଶିରେ କି ପୁଣ୍ୟ ବେଳା ଥିଲା କେଜାଣି ଏତେ ଆଦର ଯତ୍ନ ମିଳୁଚି ବୋଲି ମୁଁ ଭାବିଲି । ”
ଗେଟ୍ ଖୋଲି ବାହାରକୁ ବହାରିଛୁ ଦେଖିଲି ପଡିଶା ଘର ଭାଇନା ଗେଟ୍ ବାହାରେ ସହାସ୍ୟ ଦଣ୍ଡାୟମାନ । ଆମକୁ ଦେଖି ହସି ହସି ଅଭିବାଦନ କଲେ ଓ ତାଙ୍କ ଘରକୁ ଯିବାକୁ ନିମନ୍ତ୍ରଣ ଦେଲେ । ଆମେ ମାର୍କେଟକୁ ବହାରିଛୁ ଫେରିଲେ ଯିବୁ ବୋଲି କହିଲି । କିନ୍ତୁ ପତ୍ନୀ ମହୋଦୟା ତାଙ୍କ ଘର ଆଡ଼େ ଯିବାକୁ ଉଦ୍ୟମ କରନ୍ତେ ଆମ୍ଭେ ନିରବ ରହିବା ଉଚିତ ମଣିଲୁ । ଭାଇନା ଟିକିଏ ଆଗକୁ ଯିବା ଉତ୍ତାରୁ ପଚାରିଲୁ ଆମେ ତ ମାର୍କେଟ ଯିବା କଥା ପୁଣି ତାଙ୍କ ଘରକୁ କଣ ପାଇଁ ?”
ମୋ କଥା ଶୁଣି ପତ୍ନୀ କହିଲେ, ନାହିଁମ କିଛି ନାହିଁ ଖାଲି ଭାଉଜଙ୍କଠାରୁ ଗୋଟେ ଜିନିଷ ବୁଝିବାର ଥିଲା ।ତୁମେ ମୋ ସହ ଆସ। ଗୋଟିଏ ମିନିଟରେ ଫେରି ଆସିବା କହି ଆଖିରେ ଆଖିରେ ତାଙ୍କ ସହ ଅଯଥା ବାକ୍ୟ ବିନିମୟ ନକରିବାକୁ ନିର୍ଦ୍ଦେଶ ବି ଦେଇଦେଲେ । ଅଗତ୍ୟା ଅନନ୍ୟୋପାୟ ଆମେ ପତ୍ନୀଙ୍କୁ ଅନୁସରଣ କରି ତାଙ୍କ ଘର ଭିତରକୁ ଗଲି । ବୈଠକଖାନାରେ ବସିବାକୁ କହି ପତ୍ନୀ ଘର ଭିତରକୁ ଚାଲିଲେ ।
ଏଇ ପଡିଶାଙ୍କ ଘରକୁ ଅନେକ ଥର ଆଗରୁ ଆସିଛି । ପିଲାବେଳୁ ଭାଇନାଙ୍କ ସହ ମୋର କ୍ରିକେଟ ଖେଳ ଆଡ଼ୁ ଦୋସ୍ତି । ଏକାଠି କ୍ରିକେଟ ଖେଳିବା , ଖେଳ ଦେଖିବା , ଖେଳ ବିଚାର କରିବା ସବୁ ଚାଲେ । ତାଙ୍କ ଘର ସୋଫାଠୁ ଫୁଲଦାନୀ ଓ ଅଳିଆଠୁ ଅଳନ୍ଧୁ ପର୍ଯ୍ୟନ୍ତ ସବୁ କୁହନ୍ତୁ ମୋର ଚିହ୍ନା। ଭାଇନାଙ୍କୁ ବାହା ହୋଇଥିବା ଭାଉଜ ଯେତିକି ସୁନ୍ଦରୀ ସେତିକି ସ୍ନେହୀ । ତେଣୁ ପ୍ରାୟ ସନ୍ଧ୍ୟାରେ ଚା ସହ ଛଣାଛଣୀ କିଛି ଅଧୀନକୁ ମିଳେ । ମୋର ହସେଇବା ଗୁଣକୁ ଭାଉଜ ଯେତିକି ପସନ୍ଦ କରନ୍ତି ତାଙ୍କର ଆଦରରେ ରାନ୍ଧି ଖୁଆଇବାର ଗୁଣଟି ମୋର ଅଧିକ ପସନ୍ଦ । କଥାରେ କଥାରେ ଅନେକ ଥର ଏଇ ବିଶେଷ କଥାଟି ମୁଁ ପତ୍ନୀଙ୍କୁ ଅନେକବାର କହି ଭାଉଜଙ୍କ ଗୁଣଟି ତାଙ୍କ ଭିତରେ ପାଇବାର ଆଗ୍ରହ କରିଥିଲି ।
ଭାବନାକୁ ଅଧାରେ ରଖି ହାତରେ ରାକ୍ଷୀ ପୂଜା ଥାଳି ଧରି ଭାଉଜ ଆସିଲେ । ପଛରେ ହସ ହସ ଆମ ପତ୍ନୀ । ସେ ପୂଜା ଥାଳିରେ ରାକ୍ଷୀର ଝଲମଲ ରଙ୍ଗୀନ ଜରି ଯେମିତି ପତ୍ନୀଙ୍କ ହସ ସହ ମୋତେ ଖତେଇ ହେଉଥିଲା । ଏ ପଡିଶା ଘର ଭାଉଜଙ୍କ ହାତରୁ ରାକ୍ଷୀ ପିନ୍ଧା ଚକ୍ରାନ୍ତର ସୂତ୍ରଧର କିଏ ? ଆମ୍ଭ ପତ୍ନୀ ନା ସଦାହସବିହାରୀ ଭାଇନା ? ନା ଭାଇନା ଭାଉଜଙ୍କ ସହ ମୋ ଘରଣୀ ମିଶି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ ! ଛୋଟମୋଟ ଖୁସି ପାଇଁ ବେଳେ ବେଳେ ସବୁ ପତ୍ନୀମାନେ ଏତେ ନିର୍ଦ୍ଦୟ କେମିତି ହୁଅନ୍ତି ! ମନେ ମନେ ସେ ଝଲମଲ ରାକ୍ଷୀକୁ ଦେଖି ଭାବୁଥିଲି ଏଇ ରୂପରେ ତୁ କେତେ କଣ ପୋଡି ନପକାଉରେ ପୋଡାମୁହାଁ ! ଭାବୁଥିଲି କେଉଁ ରାଣ ଦେବି ସେହି ରାକ୍ଷୀକୁ ଯେମିତିକି ଏମିତିକା ହାର୍ଟ ଫେଲ ସରପ୍ରାଇଜ କେବେ ବି ଦେବନି । ଯାହାହେଉ ବହୁ କଷ୍ଟରେ ରାକ୍ଷୀମିଠାଟା ତଣ୍ଟି ତଳକୁ ଖସିଲା । ଶେଷରେ ଭାଇନା ଓ ଭାଉଜ- ଓଃ ଥୁକୁଲ… ବଡ଼ ଭଉଣୀଙ୍କୁ ମୁଣ୍ଡିଆ ମାରି ଫେରିଲି । ବଜାର ଯିବାକୁ ଡାକିନେଇଥିବା ସେଇ ପତ୍ନୀ ନାମଧାରୀ କଠୋର ହୃଦୟବତୀଙ୍କ ପରିଚୟ ଅନେକ ଥର ଆଗରୁ ପାଇସାରିଛି । ଏତେ ସତର୍କ ଥାଉ ଥାଉ ମୋ ଭଳି ବୁଦ୍ଧିମାନ ଲୋକଟି ଆଜି ଭଳି ଦିନରେ ନିର୍ବୁଦ୍ଧିଆ ହେଲା କେମିତି ! ପତ୍ନୀଙ୍କ ଗଡ଼ ଜିଣିଲା ଭଳି ଚାଲି ଓ ଚାହାଣୀକୁ ନିଜ ଉଚ୍ଚ ବିଚାରରେ ରଖି ଏହି ଦୁର୍ଘଟଣାରୁ ଶିକ୍ଷା ନେଲି ଯେ ନିଜ ସୁଖ ନିଜର । ତାହାର ଯତ୍ନ ନିଜେ କର ।
ବନମାଳୀ ଭବନ
ଖାନନଗର, କଟକ
୯୪୩୭୦୧୦୭୫୮
Comments are closed.