Latest Odisha News

BREAKING NEWS

ବ୍ୟଙ୍ଗ : ଘରଣୀ ଆମର ଭାରି ଚତୁରୀ

ଏଇ ଗତ ରଜ ସମୟର କଥା । ୟୁଟ୍ୟୁବ ବିଶ୍ୱ ବିଦ୍ୟାଳୟରୁ ରୋଷେଇ ଶାସ୍ତ୍ରରେ ପିଏଚଡ଼ି କରିଥିବା ଆମ୍ଭ ବୁଦ୍ଧିମତୀଙ୍କ ଯାବତୀୟ ଗବେଷଣାରେ ଉତ୍ପୀଡିତ ପୁରା ପରିବାର । ବୁଦ୍ଧିମତୀ ଯେତେବେଳେ ତାଙ୍କ ଗବେଷଣାଗାର (ରୋଷଶାଳ)ରେ ଗବେଷଣାରତ ଥା’ନ୍ତି ସେତେବେଳ ସବୁଠୁ ବେଶି ଆତଙ୍କିତ ମୁଁ ଥାଏ । ଗବେଷଣାଗାରର ପଞ୍ଜୁରୀ ଭିତରେ ଥିବା ମୂଷାଙ୍କ ଅବସ୍ଥା ଯାହା ଆମ ଘରେ ମୋ ଅବସ୍ଥା ସେଇୟା । ସବୁ ସନ୍ଦର୍ଭର ପରୀକ୍ଷା ନିରୀକ୍ଷା ପ୍ରଥମେ ମୋ ଉପରେ ହୁଏ । ଏଥିରେ ପ୍ରେମ ଫ୍ରେମ କିଛି ନଥାଏ , ଥାଏ କେବଳ ନିଛକ ଅତ୍ୟାଚାର । ଗୃହର ବୃହତ୍ତର ଶାନ୍ତି ପାଇଁ ସବୁ ସହିବାକୁ ପଡେ । ହସି ହସି ସବୁ ନୀରବରେ ସହିଯାଏ ବୋଲି ମୁଁ କାଳେ ପୃଥିବୀର ଶ୍ରେଷ୍ଠ ପତି ।

ରଜ ପାଇଁ ପ୍ରାୟ ବେଶ କିଛି ଘଣ୍ଟାର କସରତ ପରେ ଦର ପୋଡା ପୋଡ଼ ପିଠା ତିଆରି ସରିଲା । ଗିଲାସେ ପାଣି ସାହାଯ୍ୟରେ ପ୍ରଥମ ଖଣ୍ଡଟି ଉଦରସ୍ଥ କଲାପରେ ବୁଦ୍ଧିମତୀ ପଚାରିଲେ, ‘କେମିତି ଲାଗୁଛି ?’ ପ୍ରତିକୂଳ ମନ୍ତବ୍ୟ ଦେବା କେବେଠୁ ଭୁଲିଗଲିଣି । ସେଥିରେ କିଛି ତ ପରିବର୍ତ୍ତନ ହୋଇନି । କିନ୍ତୁ ଘରେ ଅଯଥା ଅଶାନ୍ତି ସୃଷ୍ଟି ହୋଇଛି । ମୋର ଅନୁକୂଳ ମନ୍ତବ୍ୟରେ ଉତ୍ଫୁଲିତ ବୁଦ୍ଧିମତୀ କହିଲେ- ‘ଅପେକ୍ଷକର ଆହୁରି ଆଣ ବଳିଛି ନେକ୍ସ୍ଟ ପୋଡ଼ରେ କାଜୁ ଖିସମିସ୍ର ଷ୍ଟପିଙ୍ଗ ରହିବ ।’ ମନରେ କରୁଣ ପ୍ରାର୍ଥନା ଗୁଞ୍ଜରିତ ହେଲା : ‘ହେ ଭଗବାନ ତା’ମାନେ ଏ ପରୀକ୍ଷା ଆହୁରି ବାକି ଅଛି ? ଉଠେଇନେ ପ୍ରଭୁ ଆଉ ଏ ଅତ୍ୟାଚାର ସହି ହେଉନି ।’

ଭଗବାନଙ୍କ ଦୟାରୁ ମୋ ପିଲାମାନେ କିନ୍ତୁ ଭାରି ସ୍ପଷ୍ଟବାଦୀ । ରୋକଠୋକ ଭାବେ ମାମାଙ୍କୁ ଜଣେଇଦେଲେ ଗରିଷ୍ଠ ଜିନିଷ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେଣୁ ମାତ୍ର ଗୋଟିଏ ଛୋଟ ଖଣ୍ଡଟିଏ ଖାଇବେ । ଏବେ ଚତୁରୀ ବୁଦ୍ଧିମତୀ ନିରାଶ ଦିଶିଲେ । ବୋଧହୁଏ ସେ ବୁଝିପାରିଲେ ଯେ ଶାଶୁମାଙ୍କ ବର୍ଷ ବର୍ଷର ଅଭିଜ୍ଞତାରୁ ଶିଖିବା ଆଗରେ ୟୁଟ୍ୟୁବ ବିଶ୍ୱବିଦ୍ୟାଳୟର ଶିକ୍ଷା ଫେଲ ମାରିଛି । କିନ୍ତୁ ଏତେ କଷ୍ଟରେ ତିଆରି ହୋଇଥିବା ପୋଡ଼ ପିଠା କଣ ଫୋପାଡା ହୁଏ । ଟିଫିନ ଡ଼ବାରେ ଭର୍ତ୍ତି କରି ସବୁ ପଡୋଶୀଙ୍କ ଘରେ ବଣ୍ଟା ହେଲା ।

ଓଡ଼ିଆ ଘରେ ସବୁ ଜାନୀଯାତ୍ରା ପିଠା ପଣା ପଡୋଶୀ ମାନଙ୍କ ଭିତରେ ବଣ୍ଟା ହେବାର ବିଧି ଅଛି । ତେଣୁ ରଜ ପର୍ବ ପାଇଁ ଆମ ଘର ଦରପୋଡା ପୋଡ଼ ପିଠା ବି ବଣ୍ଟା ହେଲା । ପୋଡ଼ ପିଠାର ଚେହେରା ଓ ଟିଫିନ ଡ଼ବାର ଆକାର ଦେଖି କିଛି ପଡୋଶୀ ମନେ ମନେ ବିରକ୍ତ ହେଲେବି ସୌଜନ୍ୟତା ଦୃଷ୍ଟିରୁ ହସି ହସି ଗ୍ରହଣ କଲେ । କିଛି କିଛି ବୁଦ୍ଧିମତୀଙ୍କ ରୋଷେଇ ଶାସ୍ତ୍ରରେ ଥିବା ଗଭୀର ଜ୍ଞାନକୁ ତାରିଫ ବି କଲେ । କେମିତି କଲ ? ପ୍ରେସର କୁକର ରେ ନା କଢେଇରେ? ବଢିଆ ଲାଗୁଛି । ଆମ ଘରେ ତ ଭାଇନା ମାଗି ମାଗି କେବଳ ତୁମଘର ପୋଡ଼ ପିଠା ଖାଇଲେ । ବୁଦ୍ଧିମତୀ ବଡ଼ ଦାର୍ଶନିକଙ୍କ ଭଳି ପଡ଼ୋଶୀଙ୍କୁ ପୋଡ଼ ପିଠାର ନିର୍ମାଣ ଶୈଳୀ ବିଷୟରେ ବୁଝାଉଥିବାର ଦେଖି ମୋର ପଡିଶା ଭାଇନାଙ୍କ ପ୍ରତି ଦୟା ଆସିଲା । ଏବେ ତାଙ୍କ ପାଳି । ଆମ ଘର ପୋଡ଼ ପିଠା ଖଣ୍ଡେ ଗିଳିବା ପାଇଁ ତାଙ୍କୁ କେତେ ଗିଲାସ ପାଣିର ସାହାଯ୍ୟ ନେବାକୁ ପଡିଥିବ କେଜାଣି ।

ଯାହାହେଉ ଆମ ଘରର ସବୁ ପୋଡ଼ପିଠା ବଣ୍ଟାବଣ୍ଟିରେ ସରିଗଲା । ଗୋଟେ ବଡ଼ଚିନ୍ତା ଟଳିଲା । ଆମ ଘର ଚିନ୍ତା ଏବେ ପଡିଶା ମାନଙ୍କ ଭିତରେ ବଣ୍ଟା ସରିଛି । ଓଡ଼ିଆ ଘରର ଚଳଣି କଥା । ଏଠି ଖାଲି ବାସନ ଫେରାଯାଏନି । ଅଗତ୍ୟା ଆମ ଘରୁ ଯାଇଥିବା ଟିଫିନ ଡବା ଏବେ ପଡିଶା ମାନଙ୍କ ଘରେ ତିଆରି ବିଭିନ୍ନ ପିଠା, ପୋଡ଼ ପିଠାରେ ଭର୍ତ୍ତି ହୋଇ ଫେରିଲା । ସନ୍ଧ୍ୟା ନଇଁବା ପୂର୍ବରୁ ଆମ ଘରେ ଏକ୍ସଚେଞ୍ଜ ସ୍କିମରେ ଭଳି କି ଭଳି ସୁସ୍ୱାଦୁ ପିଠାର ସମ୍ଭାର । ଯାହାକୁହ, ଦର ପୋଡା ପୋଡ଼ ପିଠାର ଏପରି ସଦୁପଯୋଗ କରି ବୁଦ୍ଧିମତୀ ତାଙ୍କର ଯେଉଁ ସୂକ୍ଷ୍ମ ବୁଦ୍ଧିର ପରିଚୟ ଦେଲେ ଖାସ ସେଇଥିପାଇଁ କହୁଛି ଘରଣୀ ଆମର ଭାରି ଚତୁରୀ ।

© ଓଁ ଅଭିଜ୍ଞାନ ସାହୁ

Leave A Reply

Your email address will not be published.