Latest Odisha News

BREAKING NEWS

ବାୟୋ ଗ୍ୟାସ୍‌ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଭାରତୀୟ ତୈଳ ନିଗମ ତରଫରୁ ଓଡିଶାରେ ବଡ ନିବେଶ କରାଯିବ। ବାଲେଶ୍ବର, ବଲାଙ୍ଗୀର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ କମ୍ପ୍ରେସ୍‌ଡ ବାୟୋ ଗ୍ୟାସ୍‌ ପ୍ରକଳ୍ପ ସ୍ଥାପନରେ ୯୬୦ କୋଟି ଟଙ୍କା ନିବେଶ କରାଯିବ। କମ୍ପାନି ବାର୍ଷିକ ୩୯,୬୦୦ ଟନ୍‌ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏଥିସହିତ ରାଜ୍ୟରେ ୫ଟି ନୂଆ ତାରକା ହୋଟେଲ୍‌ ନିର୍ମାଣ ହେବାକୁ ଯାଉଛି। ପୋଷାକ ଜଗତର ଅଗ୍ରଣୀ ସଂସ୍ଥା ଡଲାର ଇଣ୍ଡଷ୍ଟ୍ରିଜ୍‌ ମଧ୍ୟ ଖୋର୍ଦ୍ଧାରେ ନିବେଶ କରିବ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୩,୨୮୦.୫୮ କୋଟି ଟଙ୍କାର ନିବେଶ ହେବ। ୧୦,୬୬୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୟନ ଓ ପୋଷାକ , ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର, ଜୈବ-ଇନ୍ଧନ (ବାୟୋଫୁଏଲ୍), ରାସାୟନିକ ପଦାର୍ଥ ଓ ଉତ୍ପାଦନ , ପ୍ଲାଷ୍ଟିକ୍ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ମିଳିଛି। ଅନୁଗୁଳ, ଦେବଗଡ, ଗଞ୍ଜାମ, ଜଗତ୍ସିଂହପୁର, ଝାରସୁଗୁଡା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଏହି ପ୍ରକଳ୍ପ ହେବ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଆମର ଧ୍ୟାନ କେବଳ ନିବେଶ ଆକର୍ଷିତ କରିବା ଉପରେ ନୁହେଁ, ବରଂ ବିଭିନ୍ନ ଅଞ୍ଚଳରେ ଉତ୍ପାଦନକ୍ଷମ ନିଯୁକ୍ତି ସୃଷ୍ଟି ଏବଂ ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ମଧ୍ୟ ରହିଛି।

ଡଲାର ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୧୨୫ କୋଟି ନିବେଶ କରିବ। ୧୧୮୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ସାଇ ୱାର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ ପୁରୀରେ ଏକ ବୟନ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୫୯ କୋଟି ନିବେଶ ସହିତ ୩୬୫୦ ନିଯୁକ୍ତି ସୃଷ୍ଟି କରିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବୟନ ଏବଂ ବୈଷୟିକ ବୟନ ଇକୋସିଷ୍ଟମକୁ ମଜବୁତ କରିବ ବୋଲି ଆଶା କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ, ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଲିମିଟେଡ୍ ଖୋର୍ଦ୍ଧାରେ ୧୨୦ କୋଟି ନିବେଶ କରିବ। ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୧୦୦ କୋଟି ନିବେଶ କରି ସମନ୍ୱିତ ଖାଦ୍ୟ ଏବଂ ମିଠା ସହ-ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବ।

ଷ୍ଟିଲ୍ ଡାଉନଷ୍ଟିମ୍ କ୍ଷେତ୍ରରେ ତିନୋଟି ନିବେଶ ହେବ। ଏସପିଏସ୍ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦେବଗଡ଼ ଠାରେ ୧୪୦ କୋଟି ଟଙ୍କା ନିବେଶ କରିବ। ଷ୍ଟିଲ୍ଏଜ୍ ଫ୍ୟାବ୍ରିକେସନ୍ ସୁନ୍ଦରଗଡ଼ ଠାରେ ୧୦୮.୮୨ କୋଟି ଟଙ୍କା ନିବେଶ କରି ଏକ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ ସ୍ଥାପନ କରିବ । ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କଟକ ଠାରେ ୧୦୧.୯୯ କୋଟି ଟଙ୍କା ନିବେଶ କରିବ। ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ‘ଟାଟା ପାୱାର’ ଖୋର୍ଦ୍ଧା ଠାରେ ୫୪.୩୧ କୋଟି ଟଙ୍କା ନିବେଶ କରି ଏକ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର’ ସ୍ଥାପନ କରିବ। ସେହିପରି କିନେଟା ଗ୍ଲୋବାଲ୍ ଲିମିଟେଡ୍ ୧୭୦ କୋଟି ଟଙ୍କା ନିବେଶରେ ଗଞ୍ଜାମ ଜିଲ୍ଲାରେ ଜୈବ-ଗ୍ୟାସ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ।

ରସାୟନ ଏବଂ ରାସାୟନିକ ଉତ୍ପାଦ କ୍ଷେତ୍ରରେ ଆକ୍ୱାପ୍ରୁଫ୍ ଓ୍ବାଲକେୟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୬୨.୬୪ କୋଟି ଟଙ୍କା ନିବେଶରେ କଟକଠାରେ ରସାୟନ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଆସିପିୟା କେମିକାଲ୍ସ ଆଣ୍ଡ ସଲଭେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରଠାରେ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ସଲଭେଣ୍ଟ ଡିଷ୍ଟିଲେସନ୍ ୟୁନିଟ୍ ସ୍ଥାପନ କରିବ ।ରାମୁକା ଗ୍ଲୋବାଲ୍ ଏଲ୍ଏଲପି ୫୦.୧୫ କୋଟି ଟଙ୍କା ନିବେଶରେ ଅନୁଗୋଳଠାରେ ଲୁହା ଓ ଇସ୍ପାତ ସ୍ଲାଗ୍ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିବ। ପ୍ଲାଷ୍ଟିକ୍ କ୍ଷେତ୍ରରେ ଶ୍ରୀ ଦକ୍ଷିଣେଶ୍ୱରୀ ମା’ ପଲିଫ୍ୟାବ୍ସ ଲିମିଟେଡ୍ ଖୋର୍ଦ୍ଧାଠାରେ ଏକ କାରଖାନା ସ୍ଥାପନ କରିବ।

ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ ଏବଂ ପୁରୀ ଜିଲ୍ଲାରେ ପାଞ୍ଚୋଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବିବିବି (BBB) ହୋଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମଠାରେ ୨୦୮.୦୪ କୋଟି ଟଙ୍କା ନିବେଶରେ ଏକ ୫-ତାରକା ହୋଟେଲ୍ ସ୍ଥାପନ କରିବ। ସେହିପରି ସି-ପର୍ଲ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ପୁରୀଠାରେଏକ ୫-ତାରକା ବିଚ୍ ରିସର୍ଟ ସ୍ଥାପନ କରିବ ।

Leave A Reply

Your email address will not be published.