ଭୁବନେଶ୍ୱର: ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର । ଗୁରୁବାର ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକରେ ଏହି ପ୍ରସ୍ତାବକୁ ନୀତିଗତ ଅନୁମୋଦନ କରାଯାଇଛି ।
ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତି-୨୦୨୨ ଅଧୀନରେ ଅନୁଷ୍ଠିତ ଏହି ବୈଠକରେ ୧୪୯.୯୭ ମେଗାୱାଟର ମିଳିତ କ୍ଷମତା ବିଶିଷ୍ଟ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାଥମିକ ଅନୁମୋଦନ ପ୍ରଦାନ କରାଯାଇଛି ।
ଅନୁମୋଦିତ ପୋର୍ଟଫୋଲିଓରେ ଦୁଇଟି ପବନ ଶକ୍ତି ପ୍ରକଳ୍ପ ଯାହା ମୋଟ ୯୫.୭ ମେଗାୱାଟ୍ ବିଶିଷ୍ଠ । ସେହିପରି ଚାରୋଟି ଭୂମିଭିତ୍ତିକ ସୌର ପ୍ରକଳ୍ପ: ମୋଟ ୫୩.୯୭ ମେଗାୱାଟ । ଏକ ବ୍ୟାଟେରୀ ସଞ୍ଚୟ ପ୍ରକଳ୍ପ: ୦.୬ ମେଗାୱାଟ ଘଣ୍ଟା କ୍ଷମତା ବିଶିଷ୍ଠ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଥିବା ପ୍ରାକୃତିକ ସମ୍ଭାବନା ଗୁଡ଼ିକର ସଦବ୍ୟବହାର ହୋଇପାରିବ ।
ଏହି ଅବସରରେ ବିଶାଲ କୁମାର ଦେବ, ସ୍ଥାୟୀ ଅର୍ଥନୈତିକ ପ୍ରଗତି ନିମନ୍ତେ ଅକ୍ଷୟ ଶକ୍ତିର ମହତ୍ବ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ପୁଞ୍ଜି ନିବେଶକୁ ସୁଗମ କରିବା ଏବଂ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ଠିକ ସମୟରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ନବମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଅନୁମୋଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ।
ଏଥିରେ ରାଜ୍ୟ ଶକ୍ତି ବିଭାଗ, ଜଳ ସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗ୍ରିଡକୋ, ଓପିଟିସିଏଲ୍, ଓଏଚପିସି ତଥା ବିଦ୍ୟୁତ ବିତରଣ କମ୍ପାନି ସମୂହର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସମେତ ସର୍ବୋଚ୍ଚ ଯନ୍ତ୍ରୀ (ବୈଦ୍ୟୁତିକ) ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Comments are closed.