Latest Odisha News

BREAKING NEWS

ଓଡ଼ିଶା ବିଜେପିର କୋର କମିଟି ବୈଠକ: ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଡ଼ା ଟାସ୍କ; ସରକାରୀ ନିଯୁକ୍ତି ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସଂକେତ!

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶେଷ ହୋଇଛି ଦଳର ଅତି ଗୁରୁତ୍ୱପୂର୍ଣ୍ଣ ତଥା ହେଭିୱେଟ୍ କୋର କମିଟି ବୈଠକ। ଓଡ଼ିଶାରେ ସରକାର ଗଠନ ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଏବଂ ସରକାରଙ୍କ ପ୍ରଦର୍ଶନକୁ ନିଖୁଣ କରିବା ପାଇଁ ଏହି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବୈଠକରେ ସମସ୍ତ ପ୍ରମୁଖ ନେତାଙ୍କୁ ସଙ୍ଗଠନ ଓ ସମନ୍ୱୟର ଏକ ନୂଆ ‘ଗୁରୁମନ୍ତ୍ର’ ଦେବା ସହ କଡ଼ା ଟାସ୍କ ଧରାଇଛନ୍ତି। ସରକାର ଏବଂ ସଙ୍ଗଠନ ଯେପରି ସମାନ୍ତରାଳ ଭାବେ ଆଗକୁ ବଢ଼ିବେ, ଏହା ଉପରେ ଏହି ହାଇ-ପ୍ରୋଫାଇଲ୍ ବୈଠକରେ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି।

ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାର ଏବଂ ସଙ୍ଗଠନ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି। ସଙ୍ଗଠନକୁ ତୃଣମୂଳ ସ୍ତରରେ କିପରି ଅଧିକ ଶକ୍ତିଶାଳୀ କରାଯାଇପାରିବ ଏବଂ ସରକାରୀ ଯୋଜନାଗୁଡ଼ିକୁ କିଭଳି ନିଖୁଣତାର ସହ ଲୋକଙ୍କ ପାଖରେ ପହଞ୍ଚାଯିବ, ସେନେଇ ସ୍ପଷ୍ଟ ନିର୍ଦ୍ଦେଶ ମିଳିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ କଡ଼ା ଭାଷାରେ କହିଛନ୍ତି, “ସଙ୍ଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅନାହିଁ।”

ଅନ୍ୟପକ୍ଷରେ, ନିର୍ବାଚିତ ପ୍ରତିନିଧି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ବୈଠକରେ ରୂପରେଖ ପ୍ରସ୍ତୁତ ହୋଇଛି। ଆଗକୁ ମନ୍ତ୍ରୀମାନଙ୍କ ସହ ମଧ୍ୟ ପୃଥକ ଆଲୋଚନା ରହିଛି ଏବଂ ଆଗାମୀ ମନ୍ତ୍ରୀ ପରିଷଦ ବୈଠକରେ ସମସ୍ତ ବିଭାଗର ଉପଲବ୍ଧି ଓ ପ୍ରଦର୍ଶନ ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅବଗତ କରାଯିବ।

ରାଜ୍ୟର ବେକାର ଯୁବକଯୁବତୀଙ୍କ ପାଇଁ ଏହି ବୈଠକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ସରକାରୀ ନିଯୁକ୍ତି ପ୍ରସଙ୍ଗ ଏବେ ଶେଷ ସୋପାନରେ ପହଞ୍ଚିଛି। ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ସରକାରଙ୍କ ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯିବ। ଏହା ସହିତ, ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ମଧ୍ୟ ପ୍ରବଳ ସମ୍ଭାବନା ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ସାଙ୍ଗଠନିକ ପୂର୍ଣ୍ଣ ପୁନର୍ଗଠନ ହୋଇନଥିବା ବେଳେ ବହୁ ସାଙ୍ଗଠନିକ ପଦବୀ ସହିତ ସରକାରୀ ବୋର୍ଡ ଏବଂ ନିଗମର ଆସନ ଖାଲି ପଡ଼ିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗସ୍ତ ଏବଂ ପରାମର୍ଶ ପରେ ଖୁବ୍ ଶୀଘ୍ର ଏହିସବୁ ଖାଲି ପଦବୀ ପୂରଣ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କୋର କମିଟି ବୈଠକରେ ସମସ୍ତଙ୍କ ଠାରୁ ଗ୍ରାଉଣ୍ଡ ଫିଡବ୍ୟାକ୍ ନେଇଛନ୍ତି। ତୃଣମୂଳ ସ୍ତରରେ ଦଳକୁ କିଭଳି ସକ୍ରିୟ ଓ ସୁଦୃଢ଼ କରାଯାଇପାରିବ, ସେନେଇ ସେ ସମସ୍ତଙ୍କୁ ନୂଆ ଟାସ୍କ ଦେଇଛନ୍ତି। ବିଶେଷ କରି ୨୦୩୬ ମସିହା ସୁଦ୍ଧା ଏକ ‘ବିକଶିତ ଓ ସମୃଦ୍ଧ ଓଡ଼ିଶା’ ଗଠନର ରୋଡ୍ ମ୍ୟାପ୍‌କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ୫ଟି ଅତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

“ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଆହୁରି ବିଳମ୍ବ ଅଛି। କିନ୍ତୁ ଏହା ପୂର୍ବରୁ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କିଭଳି ପହଞ୍ଚିବ, ତାହା ଉପରେ ରୂପରେଖ ପ୍ରସ୍ତୁତ କରାଯାଇଛି। ଦଳର ପୁରୁଣା ଏବଂ ନୂଆ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ ହୋଇଛି।”

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଂବେଦନଶୀଳ ବୈଠକରେ ଦଳର ସମସ୍ତ ଶୀର୍ଷ ନେତୃତ୍ୱ ଏକାଠି ହୋଇଥିଲେ। ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ-ପ୍ରଭାରୀ ଲତା ଉସେଣ୍ଡୀ

ଏହା ସହିତ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର ଏବଂ ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.