Latest Odisha News

BREAKING NEWS

ନାଁ ନୁହେଁ, ପ୍ରଦର୍ଶନ ହିଁ ସୁପରଷ୍ଟାର୍ ବନାଏ: ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ‘ସୁପରଷ୍ଟାର୍ ସଂସ୍କୃତି’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼, ବର୍ତ୍ତମାନର କୋଚ୍ ଗୌତମ ଗମ୍ଭୀରଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଦ୍ରାବିଡ଼ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେବଳ ଲୋକପ୍ରିୟତା ଆଧାରରେ କେହି ସୁପରଷ୍ଟାର୍ ବନିପାରିବେ ନାହିଁ। ଭାରତୀୟ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିବାକୁ ହେଲେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିବା ସବୁଠାରୁ ଜରୁରୀ।

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ନେବା ପରେ ଗୌତମ ଗମ୍ଭୀର କହିଥିଲେ ଯେ, ଦଳର ସଫଳତା ଏବଂ ଆଇସିସି ଟ୍ରଫି ଜିତିବା ତାଙ୍କର ପ୍ରାଥମିକତା। ଦଳରେ କୌଣସି ବ୍ୟକ୍ତିଗତ ଷ୍ଟାରଡମ୍ ବା ସୁପରଷ୍ଟାର୍ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ ନାହିଁ, ବରଂ ‘ଟିମ୍ ଫାଷ୍ଟ’ ବା ଦଳ ପ୍ରଥମ ନୀତିରେ କାମ ହେବ। ଏବେ ଗମ୍ଭୀରଙ୍କର ଏହି ବୟାନ ଉପରେ ନିଜର ମତ ରଖିଛନ୍ତି ମିଷ୍ଟର ଡିପେଣ୍ଡେବୁଲ୍ ରାହୁଲ ଦ୍ରାବିଡ଼।

ଏକ ପଡକାଷ୍ଟରେ ଆଲୋଚନା ବେଳେ ଦ୍ରାବିଡ଼ କହିଛନ୍ତି ଯେ, ପ୍ରତ୍ୟେକ ଖେଳ ପାଇଁ ନାୟକ ବା ହିରୋଙ୍କ ଆବଶ୍ୟକତା ରହିଛି। କିନ୍ତୁ ଭାରତ ଭଳି କ୍ରିକେଟ୍ ପ୍ରେମୀ ଦେଶରେ ବିନା ପ୍ରଦର୍ଶନରେ କେହି ଷ୍ଟାର୍ ହୋଇପାରିବେ ନାହିଁ। ଏଠାରେ ଖେଳାଳିମାନଙ୍କ ଉପରେ ସବୁବେଳେ ଚାପ ଓ ପ୍ରଶଂସକଙ୍କ ନଜର ରହିଥାଏ। ତେଣୁ ଯେଉଁମାନେ ଦୀର୍ଘ ସମୟ ଧରି ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ହିଁ ସୁପରଷ୍ଟାର୍ ଆଖ୍ୟା ମିଳେ।

ଦ୍ରାବିଡ଼ଙ୍କ କହିବା ଅନୁଯାୟୀ, ଭାରତୀୟ ଦଳ ବିଗତ ଅନେକ ବର୍ଷ ହେବ ବିଶ୍ୱର ଶୀର୍ଷ ଦଳଗୁଡ଼ିକ ମଧ୍ୟରେ ସ୍ଥାନ ବଜାୟ ରଖିଛି। ୨୦୧୧ ବିଶ୍ୱକପ୍ ପରେ ଦଳ ଅଧିକ ଆଇସିସି ଟ୍ରଫି ଜିତିପାରି ନଥିଲେ ମଧ୍ୟ ସେମିଫାଇନାଲ୍ ଏବଂ ଫାଇନାଲ୍ ପର୍ଯ୍ୟନ୍ତ କ୍ରମାଗତ ଭାବେ ପହଞ୍ଚିଛି। ଏହାସହ ସେ କ୍ରିକେଟ୍ ପ୍ରେମୀଙ୍କର ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, ଫ୍ୟାନ୍ସମାନଙ୍କ ଭଲପାଇବା ବିଶ୍ୱ କ୍ରିକେଟକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଛି। ଭାରତୀୟ କ୍ରିକେଟର ଏହି ସଫଳତା ବର୍ଷ ବର୍ଷର ପରିଶ୍ରମ, ମଜଭୁତ ଭିତ୍ତିଭୂମି ଏବଂ ସଠିକ୍ ଯୋଜନାର ପରିଣାମ ଅଟେ।

ତେବେ ରାହୁଲ ଦ୍ରାବିଡ଼ଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ, ଭାରତୀୟ କ୍ରିକେଟରେ ଆଗକୁ ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଟିମ୍ ଗେମ୍ ଏବଂ ଟ୍ରଫି ଜିତିବା ଉପରେ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ, ଯାହା ଗୌତମ ଗମ୍ଭୀରଙ୍କର ମଧ୍ୟ ମୂଳ ମନ୍ତ୍ର ।

 

Leave A Reply

Your email address will not be published.