ଭୁବନେଶ୍ୱର: ଓଡ଼ିଶା ଜନ୍ମିତ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଋଷିଆରେ ଅନୁଷ୍ଠିତ ହେଉଥିବା ‘୧୮ତମ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ ସିନେମାଟୋଗ୍ରାଫିକ ଡେବୁଟସ ସ୍ପିରିଟ ଅଫ ଫାୟାର’ ଶିଶୁ ଓ ଯୁବ ଚଳଚ୍ଚିତ୍ର ପ୍ରତିଯୋଗିତା ଲାଗି ଜୁରୀ ଭାବେ ମନୋନୀତ ହୋଇଛନ୍ତି ।
ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ୨୦୦୨ରେ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ଋଷିଆ, ସାଇବେରିଆ ଏବଂ ଖାନତି-ମାନସିୟାକର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଛି ।
ଏହି ପ୍ରତିଯୋଗିତାମୂଳକ ଚଳଚ୍ଚିତ୍ର ଉତ୍ସବରେ ଅନ୍ତର୍ଜାତୀୟ ସିିନେମାରେ ପ୍ରତିଷ୍ଠିତ ୫ ଜଣ ଫିଲ୍ମ ଜୁରୀଙ୍କ ଦ୍ୱାରା ଚୟନ ହେବ । ଏହି ଚଳଚ୍ଚିତ୍ର ଉତ୍ସବରେ ବାର୍ଷିକ ଫୋଟୋଗ୍ରାଫିକ ଏବଂ ଭିଜୁଆଲ୍ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି ।
“ସାଇବେରିଆ ଅଞ୍ଚଳରେ ଏହିପରି ଏକ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବ ଅନୁଷ୍ଠିତ ହେଉଛି ଏବଂ ଏଥିରେ ମୁଁ ଜୁରୀ ଭାବେ ଯୋଗଦାନ କରୁଥିବାରୁ ମୁଁ ଅଧିକ ଆନନ୍ଦିତ । ଆମେ ମଧ୍ୟ ଆୟୋଜିତ କରୁଥିବା ଏସଆଇଏଫଏଫସିୱାଇ ପରି ଉତ୍ସବ ଆୟୋଜିତ କରୁଥିବାରୁ ଏହା ଅଧିକ ପ୍ରେରଣା ଯୋଗାଇବ,” ଏହା କହିଛନ୍ତି ଜିତେନ୍ଦ୍ର ।
ଓଡ଼ିଶାର ଟିଟିଲାଗଡ଼ରେ ଜନ୍ମିତ ଏହି ଓଡ଼ିଆ ଫିଲ୍ମ ନିର୍ମାତା ପ୍ରାୟ ୧୧୦ଟି ଫିଲ୍ମର ପ୍ରଡ଼କ୍ସନ, ଡିଷ୍ଟ୍ରିବ୍ୟୁସନ ଏବଂ ପ୍ରମୋସନ ଲାଗି କାର୍ଯ୍ୟ କରିଛନ୍ତି ।
Comments are closed.