Latest Odisha News

BREAKING NEWS

‘ନାସା’ ନାମରେ ଠକେଇ ! ବିଦେଶ ଯାଇପାରିବେନି ଅନୁଗୁଳର ଶୁଭ୍ରାଂଶୁ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ପକ୍ଷରୁ ବିଦେଶ ଗସ୍ତ ପାଇଁ ଆମନ୍ତ୍ରିତ ହୋଇ ବେଶ୍ ଖୁସିଥିଲେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ନିଜ ସ୍କୁଲ ଠିକଣାରେ ଏହି ଚିଠି ପାଇବା ପରେ ସେଠାକୁ ଯାଇ ନିଜର ଅଭିନବ ଡ୍ରୋନ୍ ପ୍ରୋଜେକ୍ଟକୁ ପ୍ରଦର୍ଶିତ କରିବା ପାଇଁ ଦିନରାତି ସ୍ୱପ୍ନ ମଧ୍ୟ ଦେଖୁଥିଲେ ।

ଏପରିକି ପୁଅର ଆମେରିକା ଗସ୍ତ ପାଇଁ ବାପା ଓ ମା’ ଟଙ୍କା ମଧ୍ୟ ଯୋଗାଡ କରୁଥିଲେ । ହେଲେ କିଏ ଜାଣିଥିଲା ଜଣେ ବ୍ୟାଗ୍ ବିକାଳିର ପୁଅ ବି ସାଇବର ଠକାମୀର ଶିକାର ହେବ ବୋଲି । ବିଦେଶ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରୁ ଯେଉଁ ନାସ୍ତିବାଚକ ସୂଚନା ଆସିଛି, ତାହା ନିମିଷେକ ମଧ୍ୟରେ ଶୁଭ୍ରାଂଶୁଙ୍କ ସମସ୍ତ ଆଶାରେ ପାଣି ପକାଇଦେଇଛି ।

ଅନୁଗୁଳ ସହର ଉପକଣ୍ଠସ୍ଥ ହୁଲୁରୁସିଂହାର ଗ୍ରାମର ବାସିନ୍ଦା ଲକ୍ଷ୍ମଣ ଓ ସୁଲୋଚନା ନାଏକଙ୍କ ପୁଅ ହେଉଛନ୍ତି ଶୁଭ୍ରାଂଶୁ । ଲକ୍ଷ୍ମଣ ଜଣେ ବ୍ୟାଗ୍ ବିକାଳୀ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁଭ୍ରାଂଶୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶ୍ରେଣୀରେ ପଢୁଛନ୍ତି । ମାତ୍ର ୬୫ ଟଙ୍କାରେ ନିର୍ମାଣ କରିଥିବା ମାଭିକ୍ ପ୍ରକଳ୍ପକୁ ନିକଟରେ ନାସା ସ୍ପେଶ ସେଟଲମେଣ୍ଟ ୱେବସାଇଟରେ ଅପଲୋଡ୍ କରିଥିଲେ ସେ ।

ଯାହା ନାସା ଦ୍ୱାରା ଆଦୃତ ହୋଇଛି ବୋଲି ତାଙ୍କ ସ୍କୁଲ ଠିକଣାରେ ଏକ ଚିଠି ଆସିଥିଲା । ଉକ୍ତ ଚିଠିରେ ଉଲ୍ଲେଖ ରହିଥିଲା ଯେ, ୱାସିଂଟନର ସ୍ପେଶ ସେଣ୍ଟରରେ ଯୋଗଦାନ କରି ଡିସେମ୍ବର ୧ ତାରିଖରେ ସେ ନିଜର ପ୍ରୋଜେକ୍ଟକୁ ବିସ୍ତୃତ ରୂପେ ପ୍ରଦର୍ଶିତ କରିବେ ବୋଲି ଆମନ୍ତ୍ରିତ କରାଯାଇଥିଲା ।

ଏହି ସୂଚନା ପରେ ଆମେରିକା ଯିବା ପାଇଁ ସମସ୍ତ ପ୍ରସ୍ତୁତିରେ ଲାଗିପଡିଥିଲେ ସେ । ନିଜ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗଙ୍କ ସହାୟତାରେ ଶୁଭ୍ରାଂଶୁ ପାସପୋର୍ଟ ବନାଇଥିଲେ । ପରେ ଭିସା ପାଇଁ ଆବେଦନ କରିବା ପୂର୍ବରୁ ସ୍କୁଲ୍ କର୍ତ୍ତୃପକ୍ଷ ନଭେମ୍ବର ୧୩ ତାରିଖରେ ଏସପି ଜଗମୋହନ ମୀନାଙ୍କ ସହ ସାକ୍ଷାତ କରିଥିଲେ । ଏଥିସହିତ ଉକ୍ତ ଚିଠିର ସତ୍ୟତା ଜାଣିବା ଲାଗି ସାଇବର ସେଲର ହସ୍ତକ୍ଷେପ ଲୋଡିଥିଲେ ।

ସାଇବର ସେଲର ଉତ୍ତର:-

ଏନେଇ ସାଇବର ସେଲ୍ ନିଜ ଉତ୍ତରରେ କହିଥିଲା ଯେ, ଏହି ଚିଠି ନକଲି ଅଟେ । କାରଣ ଆମେରିକାର କୌଣସି ପତ୍ର ଭାରତୀୟ ଜିମେଲ୍ ଆଇଡିରେ ଆସେନାହିଁ । ଏହାବ୍ୟତିତ ସାଇବର ସେଲ୍ ମୁଖ୍ୟାଳୟରୁ ବିସ୍ତୃତ ରିପୋର୍ଟକୁ ଅପେକ୍ଷା ରହିଛି ।

“ଏହି ରିପୋର୍ଟ ଆସିବା ପରେ ଯାଇ ମେଲରେ ଆସିଥିବା ଚିଠି ସମ୍ପର୍କରେ ଆମେ କିଛି କହିପାରିବୁ” ବୋଲି ଏସପି ମୀନା ପ୍ରକାଶ କରିଛନ୍ତି ।

ପ୍ରକଳ୍ପ:-

ଶୁଭ୍ରାଂଶୁଙ୍କ କହିବାନୁଯାୟୀ, ତାଙ୍କର ଏହି ଅଭିନବ ପ୍ରକଳ୍ପଟି ‘ଗୁଗୁଲ୍’ ମ୍ୟାପ୍ ଦ୍ୱାରା ଦୁର୍ଗମ ଅଞ୍ଚଳଗୁଡିକରେ ଆକାଶ ମାର୍ଗରେ ଯାଇ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପ୍ରଦାନରେ ସହାୟକ ହେବ । ଯେଉଁସ୍ଥାନକୁ ଡାକ୍ତରମାନେ ପହଞ୍ଚିବା କଷ୍ଟକର ହୋଇଥାଏ, ସେସ୍ଥାନରେ ଏହି ଡ୍ରୋନ୍ କ୍ୟାମେରା ପହଞ୍ଚିବା ସହ ଡାକ୍ତର ଏହାଦ୍ୱାରା ରୋଗୀର ଚିକିତ୍ସା ମଧ୍ୟ କରିପାରିବେ ।

Leave A Reply

Your email address will not be published.