Latest Odisha News

ଆସିଲା ମାଟ୍ରିକ୍ ରେଜଲ୍ଟ ଡେଟ୍: ଏହିଦିନ ବାହାରିବ…

ଭୁବନେଶ୍ବର: ଆଜି ଶେଷ ପରୀକ୍ଷା । ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ମେ’ ମାସରେ ମାଟ୍ରିକ୍ ରେଜଲ୍ଟ ବାହାରିବ । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ ।

ସେପଟେ ଆଜି ପରୀକ୍ଷା ସରିଥିବା ବେଳେ ମାର୍ଚ୍ଚ ୧୯ ରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚାଇ ଦିଆଯାଇଛି । ଏହାପରେ ଖାତା ଦେଖା ସରିବା ପରେ ପରେ ମେ ମାସ ପ୍ରଥମ ସପ୍ତାହରେ ବାହାରିବ ଫଳାଫଳ ।

ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ପିଲା ମାଟ୍ରିକ ବୋର୍ଡ ପରୀକ୍ଷା ଦେଉଛନ୍ତି । ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମପୂରଣ କରିଥିବା ବେଳେ ତିନିଟି ଯାକ ପରୀକ୍ଷା ପାଇଁ ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସକୁ ମିଶାଇ ମୋଟ ୩୧୪ଟି ନୋଡାଲ୍‌ ସେଣ୍ଟର କରାଯାଇଥିଲା ।

ଚଳିତ ବର୍ଷ ସୁରୁଖୁରରେ ପରୀକ୍ଷା ଶେଷ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଥିଲା । ଯାହା ସଫଳ ହୋଇଛି ବୋଲି ମତ ରଖିଛନ୍ତି ବୋର୍ଡ ସଭାପତି । କହିଛନ୍ତି, ଓ୍ବାଟର ମାର୍କ ଏବଂ କ୍ୟୁଆର କୋର୍ଡ ସଫଳ ହୋଇଛି । ଏଆଇ ଦ୍ବାରା ପ୍ରଶ୍ନପତ୍ର ଲିକ୍ ରୋକାଯାଇ ପାରିଛି ।

ସେହିପରି ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଅତିରିକ୍ତ ଏସପି ଓ ଜଣେ ଜଣେ ଡ଼ିଏସପିଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍‌ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯାଇଥିଲା। ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍‌ ଭିଡିଓ ବ୍ୟବସ୍ଥା କରାଯାଇଥିଲା ।

Comments are closed.