ନୂଆଦିଲ୍ଲୀ: ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବିରୋଧ । ଖଲିସ୍ତାନୀ ସମର୍ଥକମାନେ ଜୟଶଙ୍କର ଯୋଗ ଦେବାକୁ ଥିବା ଏକ ଆଲୋଚନା ସମୟରେ ଜୋରଦାର ପ୍ରତିବାଦ କରିଥିଲେ । ଖଲିସ୍ତାନୀ ଉଗ୍ରବାଦୀଙ୍କ ଏକ ଗୋଷ୍ଠୀ ଲଣ୍ଡନରେ ଜୟଶଙ୍କରଙ୍କ ଗସ୍ତକୁ ବାଧା ଦେବାକୁ ଚେଷ୍ଟା କରିଥିଲେ, ନାରାବାଜି କରି, ଜାତୀୟ ପତାକା ତ୍ରିରଙ୍ଗା ଚିରିଥିଲେ ।
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନରେ ଆୟୋଜିତ କାର୍ଯ୍ୟରେ ଆଲୋଚନା ପରେ ଚାଥାମ ହାଉସ ଛାଡିବା ସମୟରେ ଜଣେ ବ୍ୟକ୍ତି ତାଙ୍କ କାର ପାଖକୁ ହଠାତ୍ ଦୌଡ଼ି ପୋଲିସ ଅଧିକାରୀଙ୍କ ସମ୍ମୁଖରେ ଭାରତୀୟ ଜାତୀୟ ପତାକା ଚିରି ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେୁଛି । ଯେଉଁଥିରେ, ଜଣେ ବ୍ୟକ୍ତି ଆକ୍ରମଣାତ୍ମକ ଭାବରେ ଜୟଶଙ୍କରଙ୍କ କାର୍ ଆଡ଼କୁ ଧାଇଁବାକୁ ଲାଗିଥିଲେ । ପ୍ରଥମେ ପ୍ରଥମେ ଅଧିକାରୀମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ସଂକୋଚ କରିଥିଲେ । ଯାହା ସୁରକ୍ଷା ବ୍ୟବସ୍ଥାର ଉଲଘଂନ ପରି ମନେହେଉଥିଲା । କିନ୍ତୁ ପରେ ଖଲିସ୍ତାନୀ ସମର୍ଥକଙ୍କ ହଙ୍ଗମା ବଢିବାକୁ ଲାଗିଥିଲା । ସ୍ଲୋଗାନ ଦେଇ ପ୍ରତିବାଦକାରୀ, ଲଣ୍ଡନ ପୋଲିସଙ୍କ ଆଗରେ ତ୍ରିରଙ୍ଗା ଚିରିବାକୁ ଲାଗିଥିଲେ । ଯାହା ସ୍ଥିତିକୁ ଆହୁରି ଉତ୍ତେଜିତ କରିଥିଲା । ପରେ ସେଠିକା ପୋଲିସ ପହଞ୍ଚି ଉଗ୍ରବାଦୀମାନଙ୍କୁ ଆୟତ୍ତ କରିଥିଲା ।
ତେବେ ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଗତ ୪ ରୁ ଆସନ୍ତା ୯ ମାର୍ଚ୍ଚ ପର୍ଯ୍ୟନ୍ତ ୟୁକେ ଏବଂ ଆୟର୍ଲାଣ୍ଡକୁ ସରକାରୀ ଗସ୍ତରେ ଯାଇଛନ୍ତି । ପୂର୍ବରୁ ଜୟଶଙ୍କର ଚେଭେନିଂ ହାଉସରେ ୟୁକେର ବୈଦେଶିକ ସଚିବ ଡେଭିଡ୍ ଲାମିଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ । ଯେଉଁଥିରେ ରଣନୈତିକ ସମନ୍ୱୟ, ରାଜନୈତିକ ସହଯୋଗ, ବାଣିଜ୍ୟ ଆଲୋଚନା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଗତିଶୀଳତା ଏବଂ ଲୋକ-ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ । ଏହାପରେ ଚାଥାମ ହାଉସରେ ଏକ ଆଲୋଚନା ସମୟରେ ଏଭଳି ସ୍ଥିତି ଦେଖାଦେଇଥିଲା ।
ଯାହାକୁ କଡା ନିନ୍ଦା କରିଛି ଭାରତ । ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ବେଳେ ୟୁକେରେ ଏପରି ସୁରକ୍ଷା ବ୍ୟବସ୍ଥାର ଉଲଘଂନ ଗ୍ରହଣୀୟ ନୁହେଁ, ଏହା ଗଣତାନ୍ତ୍ରିକ ସ୍ବାଧୀନତାର ଅପବ୍ୟବହାର ବୋଲି କହିଛି । ଏଥିସହିତ ଏଭଳି କ୍ଷେତ୍ରରେ ୟୁକେ ସରକାର ସେମାନଙ୍କର କୂଟନୈତିକ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ପାଳନର କରିବାର ଥିଲା ବୋଲି ମତ ରଖିଛି ଭାରତ ।
Comments are closed.