Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ବଜେଟ-“ବସ୍ତାନି ବଡ, ପାଠ କମ୍‌”

ଭୁୁବନେଶ୍ୱର:ରାଜ୍ୟ ସରକାରଙ୍କ ବଜେଟରେ କିଛି ନାହିଁ । ଏ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” ସଦୃଶ ।  ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଏମିତି କହି ରାଜ୍ୟ ସରକାରଙ୍କ  ୨୦୨୩-୨୪ ଆର୍ଥିକ ବର୍ଷ ଆଗତ ବଜେଟକୁ କଡା ସମାଲୋଚନା କରିଛନ୍ତି  ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମିଛ କଥା କହି ରାଜ୍ୟବାସୀଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ପ୍ରତି ବର୍ଷ ବଜେଟର ଅକାର ବଢେଇ ବଢେଇ ଚାଲିଛନ୍ତି  । ମାତ୍ର ବର୍ଷ ଶେଷକୁ ୧୭ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି । ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି ଟଙ୍କା ଖର୍ଚ୍ଚ ହୋଇନି ।   ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ନିଯୁକ୍ତି କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ଓ ଗ୍ରାଉଣ୍ଡ ଜିରୋରେ ବାସ୍ତବିକତା ଭିତରେ ଆକାଶ ପାତାଳ ଫରକ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଅଂଶଧନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ବଜେଟ । ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି । ଓଡ଼ିଶାର ମୋଟ ରାଜସ୍ୱରେ କେନ୍ଦ୍ରୀୟ ଟିକସ ୩୬,୯୭୮କୋଟିରୁ ୪୬,୨୫୧କୋଟି ଟଙ୍କାକୁ ବୃ୍‌ଦ୍ଧି ପାଇଛି । ଏହା ସହ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨,୭୪୯କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ରାଜ୍ୟ ରାଜସ୍ୱ ପ୍ରାପ୍ତିର ମୋଟ ୧,୮୪,୫୦୦କୋଟି ଟଙ୍କାରୁ ପାଖାପାଖି ୭୯,୦୦୦ କୋଟି ଟଙ୍କା ହେଉଛି କେନ୍ଦ୍ରର ଅବଦାନ ।

ସେହିପରି ମିଶନ ଶକ୍ତି, ପିଇବା ପାଣି, ପକ୍କାଘର ନିର୍ମାଣ, ଭିତିଭୁମି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ବଜେଟରେ ବ୍ୟୟବରାଦ ହୋଇଥିବା ସମସ୍ତ ଅନୁଦାନ କେନ୍ଦ୍ର ସରକାରଙ୍କର । ଜଳଜୀବନ ମିଶନ ପାଇଁ ୫୭୫୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୯୩୪ କୋଟି, ଭିତିଭୁମି ନିର୍ମାଣ ପାଇଁ ୧୯୪୫୨ କୋଟି ଟଙ୍କା ହେଉଛି କେନ୍ଦ୍ରୀୟ ଅନୁଦାନ ଓ ଯୋଜନାର ଅଂଶସ୍ୱରୁପ ।

ବିଗତ ବର୍ଷରେ ରାଜ୍ୟ ଆବଶ୍ୟକ ବ୍ୟୟକୁ ଭରଣା କରିବା ପାଇଁ ୨୪,୫୮୯କୋଟି ଟଙ୍କାର ଋଣ କରିଥିଲେ, ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୩୩,୬୩୦କୋଟି ଟଙ୍କା ହୋଇଛି । ରାଜ୍ୟରେ ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ଥିଲାବେଳେ ରାଜ୍ୟର ଋଣଭାର ୧.୧୨ଲକ୍ଷ କୋଟି ଟଙ୍କାରେ ପଂହଚିଛି । ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ବଜେଟ୍‌ରେ ଖର୍ଚ୍ଚ ବଢ଼ିଥିଲେ ମଧ୍ୟ ଜାତୀୟ ହାର ୧.୭୦ଲକ୍ଷ ତୁଳନାରେ ଓଡିଶାର ମୁଣ୍ଡପିଛା ଆୟ ୧.୫୦ଲକ୍ଷ ଟଙ୍କା ରହିଛି । ଜାତୀୟ ହାର ୨୨.୫ପ୍ରତିଶତ ଥିବା ସମୟରେ ଓଡ଼ିଶାର ୨୯.୫ପ୍ରତିଶତ ଜନସାଧାରଣ ଏବେ ବି ଗରିବ ଅଛନ୍ତି । ଟିକସ ଦାତାଙ୍କ ପଇସାକୁ କିଭଳି ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ଅବ୍ୟବସ୍ଥା କରାଯାଉଛି, ତାହା ବଜେଟରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ବାସ୍ତବରେ ବଜେଟ୍‌ରେ କୌଣସି ନୂତନତ୍ୱ ନାହିଁ । ନୂତନତ୍ୱ ନାଁରେ ଯେଉଁ କେତେକ ନୂଆ ଯୋଜନା ସୃଷ୍ଟି କରାଯାଇଛି, ତାହା କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରାଯାଇ ଲୋକଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ କରାଯାଇଛି  । ଓଡିଶାର ୬୦ଲକ୍ଷ ଗରିବ ପରିବାର ଓ ପାଖାପାଖି ୧କୋଟି ପ୍ରବାସୀ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀଙ୍କର କଲ୍ୟାଣକାରୀ “ଆୟୁଷ୍ମାନ ଭାରତ” ଯୋଜନାରୁ ବଂଚିତ କରି ଓଡ଼ିଶା ସରକାର ନିଜସ୍ୱ ଯୋଜନାକୁ ଗତ ବର୍ଷ ତୁଳନାରେ କମ୍ ଅର୍ଥ ବ୍ୟୟବରାଦ କରିବା ଏକ ଚିନ୍ତାଜନକ ବିଷୟ । ଗତବର୍ଷ ଏହା ୨,୬୬୪କୋଟି ଟଙ୍କା ଥିଲାବେଳେ ଏହି ବର୍ଷ ଏହା ୨,୩୮୦କୋଟି ଟଙ୍କାକୁ ହ୍ରାସ ପାଇଛି ।

ରାଜ୍ୟ ସରକାର ଆମ ହସ୍ପିଟାଲ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିରେ ବ୍ୟାପକ ଅବ୍ୟବସ୍ଥା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପଦବୀ ଖାଲି ପଡିବା ବିଡମ୍ବନାର ବିଷୟ । ଏନ୍‌ଏଫ୍‌ଏଚ୍‌ଏସ୍‌-୫ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୯ପ୍ରତିଶତ ଶିଶୁ ଜନ୍ମ ବେଳେ କମ୍ ଓଜନ; ୩୧ ପ୍ରତିଶତ ପୁଷ୍ଟିହୀନ; ୬୪ ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡିତ । ୬ମାସରୁ ୫୯ମାସର ୬୪.୨ପ୍ରତିଶତ ଶିଶୁ ଓ ୬୧.୮ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ । ଓଡ଼ିଶାର ୨୧% ବାଳିକା ମଧ୍ୟ କମ ଓଜନର । ଚିନ୍ତାର ବିଷୟ ହେଉଛି ୨୦୧୫-୨୦୧୬ରେ ୧୫ରୁ ୧୯ବର୍ଷ ବୟସର ୫୧ପ୍ରତିଶତ ଅଣଗର୍ଭବତୀ ମହିଳା ଓ ବାଳିକାଙ୍କ ରକ୍ତହୀନତାର ଶିକାର ଥିବାବେଳେ ୨୦୨୦-୨୧ରେ ଏହା ୬୪ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୬ ରୁ ୨୦୨୨ ମଧ୍ୟରେ ୯୨,୯୨୪ ଜଣ ପାଂଚ ବର୍ଷରୁ କମ ଶିଶୁ ମୃତ୍ୟୁବରଣ କରିଛନ୍ତି । ଏହାକୁ ରୋକିବା ପାଇଁ ବଜେଟରେ ଠୋସ ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର ।

ସେହିପରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହାସହ ସ୍କୁଲରେ ଥିବା କର୍ମଚାରୀଙ୍କ ଦରମା ଠିକ ସମୟରେ ନମିଳିବାରୁ ହତାଶ ହୋଇଯାଉଛନ୍ତି । ଦୀର୍ଘ ୨୫ବର୍ଷ ଶାସନରେ ରହି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବଢ଼ାଇବା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟର ବେରୋଜଗାର, ବିଶେଷ ଭାବରେ ଶିକ୍ଷିତ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ । ୨୦୨୦-୨୧ ବର୍ଷରେ ବେରୋଜଗାର ଜାତୀୟ ହାର ୪.୨ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ୫.୩ପ୍ରତିଶତ ରହିଛି । ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ମୋଟ ନାମଲେଖା ଅନୁପାତ ୨୫.୪ପ୍ରତିଶତ ରହିଛି । ସେହିପରି ମାଧ୍ୟମିକରୁ ଉଚ୍ଚ ମାଧ୍ୟମିକ ନାମଲେଖା ଅନୁପାତ ୪୯.୯ ପ୍ରତିଶତ ରହିଛି । ଉଚ୍ଚ ମାଧ୍ୟମିକରେ ୨୭.୩ପ୍ରତିଶତ ଅଧାରୁ ପାଠପଢ଼ା ଛାଡୁଛନ୍ତି । ଉଚ୍ଚ ମାଧ୍ୟମିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅନୁପାତ ୬୨:୧ । ଗୁଣାତ୍ମକ ଶିକ୍ଷା ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ।

୨୦୧୭ ମସିହା ନଭେମ୍ବର ୨୩ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ କରିଥିଲେ ଏବଂ ୨୦୧୮ ମସିହା ଜୁଲାଇ ୨୭ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଥିଲେ । ପୁରୀ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଘୋଷଣାର ୩ବର୍ଷ ପରେ ମଧ୍ୟ ଗୋଟିଏ ହେଲେ ଇଟା ପଡିପାରିଲା ନାହିଁ । କେବଳ ଘୋଷଣାରେ ସୀମିତ ଏହି ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୨୦କୋଟି ଟଙ୍କା ବ୍ୟୟବରାଦ କରାଯିବା ଆଦୈା ବିଶ୍ୱାସଯୋଗ୍ୟ ନୁହେଁ ।

ସେହିପରି ଭୁବନେଶ୍ୱର ସ୍ଥିତ ୱାର୍ଲଡ ସ୍କିଲ୍ ସେଂଟର ପ୍ରତିଷ୍ଠା ହେବା ପରଠାରୁ ବର୍ତମାନ ସୁଦ୍ଧା ମାତ୍ର ୨୧୪ଜଣ ଓଡ଼ିଆଙ୍କୁ ତାଲିମ ଦେଇଛି । ଯାହା ଏହାର ଖରାପ ପ୍ରଦର୍ଶନକୁ ଦର୍ଶାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.