Latest Odisha News

BREAKING NEWS

ନିଜକୁ ରେସରୁ ଦୁରେଇ ନେଉଛି କଂଗ୍ରେସ !

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସକୁ ନେଇ କେତେ ସିରିୟସ ? ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହେଉ ବୋଲି ପ୍ରକୃତରେ କଣ କେନ୍ଦ୍ରୀୟ ନେତୃତ୍ୱ ଚାହାନ୍ତି କି ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟ କଂଗ୍ରେସର ସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆଦିକୁ ଦେଖିଲେ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ। ଦୀର୍ଘ ଦିନ ଧରି ଶରତ ପଟ୍ଟନାୟକ ପିସିସି ସଭାପତି ଦାଇତ୍ୱ ନେଇଥିଲେ ମଧ୍ୟ ଏ ଯାଏ ନିଜର ଟିମ ଗଠନ କରି ନାହାଁନ୍ତି।

ସାଧାରଣ ନିର୍ବାଚନ ଆଉ ଅଧିକ ଦିନ ନ ଥିବାରୁ ଟିମ କେବେ ହେବ ଓ ନୂଆ ଟିମ କେବେ କାମ ଆରମ୍ଭ କରିବ ତାକୁ ନେଇ ଆଲୋଚନା ହେଉଛି। ନୂଆ ପିସିସି ଟିମ ଗଠନ କରି ଦଳ ସପକ୍ଷରେ ବାତାବରଣ ତିଆରି କରିବା ଭଳି କିଛି ସ୍ୱତନ୍ତ୍ର ରାଜନୈତିକ କାର୍ଯ୍ୟକ୍ରମ ଆଜି ଯାଏ ବି ହୋଇପାରୁନି। ଦଳ ପକ୍ଷରୁ ରାଜ୍ୟରେ ଭାରତ ଯୋଡୋ ଯାତ୍ରା ଓଡିଶା ନାଁ ଦେଇ କରାଯାଇଥିଲେ ମଧ୍ୟ ତାହା ବିଶେଷ ପ୍ରଭାବ ପକାଇ ପାରି ନାହିଁ। ଆବଶ୍ୟକ ଯୋଜନା ଓ ରଣନୀତି ବିନା ହୋଇଥିବା ଏହି ଯାତ୍ରା ଓଡ଼ିଶାରେ ସଫଳ ହୋଇ ପାରି ନ ଥିବା ଚର୍ଚ୍ଚା ହେଉଛି।

ଏପରିକି ନିକଟ ଅତୀତରେ ଅର୍ଚ୍ଚନା ନାଗ ଘଟଣାରେ ହାଇ ପ୍ରୋଫାଇଲ ନେତାଙ୍କ ସଂପୃକ୍ତିର କଥା ହେଉ କିମ୍ବା ଏବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଶାସକ ଲଢେଇ। ଉଭୟ ଘଟଣାରେ କଂଗ୍ରେସ ଦିଶୁ ନାହିଁ। ଏପରିକି ରାଜ୍ୟର ସ୍ୱାର୍ଥ ସମ୍ବଳିତ କୌଣସି ପ୍ରମୁଖ ପ୍ରସଙ୍ଗକୁ ଅସ୍ତ୍ର କରି ଆନ୍ଦୋଳନ କରିବା, ଆନ୍ଦୋଳନକୁ ନିର୍ଣ୍ଣାୟକ ରୂପ ଦେବା ଓ ଏହାକୁ ନେଇ ଦଳ ସପକ୍ଷରେ ଏକ ବାତାବରଣ ତିଆରି କରିବାରେ ଦଳ ଅସମର୍ଥ ବୋଲି କୁହାଯାଉଛି।

ଏବେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ସାଜିଥିବା ନବ ଦାସଙ୍କ ହତ୍ୟା ପରବର୍ତ୍ତୀ ରାଜନୈତିକ ଲଢେଇରେ ବିଜେଡି ବିଜେପି ଲଢେଇ ଦେଖିବାକୁ ମିଳୁଛି। ପୂର୍ବରୁ ଅର୍ଚ୍ଚନା ନାଗ ଘଟଣାରେ ମଧ୍ୟ ବିଜେଡି ବିଜେପି ଲଢେଇ ଦେଖିବାକୁ ମିଳିଥିଲା। ଏମିତି ଅନେକ ପ୍ରମୁଖ ଚର୍ଚ୍ଚିତ ପ୍ରସଙ୍ଗରେ ଶାସକ ଦଳ ବିଜେଡି ଓ ବିରୋଧୀ ବିଜେପି ହିଁ ମୁହାଁମୁହିଁ ହେଉଛନ୍ତି। କଂଗ୍ରେସକୁ ଆକ୍ରମନାତ୍ମକ ଢଙ୍ଗରେ ଦେଖିବାକୁ ମିଳୁନି ଯାହାକି ଦଳକୁ ରେସରୁ ବାହାର କରି ଦେଉଛି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ କଂଗ୍ରେସ କେବଳ ଏଆଇସିସି ଡାକରା ଅନୁଯାୟୀ କିଛି କାର୍ଯ୍ୟକ୍ରମ ଔପଚାରିକତା ଦୃଷ୍ଟିରୁ କରୁଥିବା ଚର୍ଚ୍ଚା ହେଉଛି।

ସେପଟେ ବିଜେପି ବିଜେଡିକୁ ମାତ ଦେବାରେ ବିଫଳ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଶାସକ ଦଳକୁ ଟାର୍ଗେଟ କରି ବିଭିନ୍ନ ମାଧ୍ୟମରେ ଦଳ ସପକ୍ଷରେ ବାତାବରଣ ତିଆରି କରିଚାଲିଛି। ଏପରିକି ଏକାଧିକ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ଦଳୀୟ ସଙ୍ଗଠନକୁ ଦୃଢ଼ କରିବାକୁ ଲଗାତର କାର୍ଯ୍ୟକ୍ରମ କରୁଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ କେନ୍ଦ୍ର ନେତୃତ୍ୱ ମଧ୍ୟ ଓଡିଶାକୁ ଫୋକସ କରୁଥିବା ଦେଖାଯାଇଛି।

ତେଣୁ ଏଭଳି ସ୍ଥିତିରେ ରାଜ୍ୟରେ କଂଗ୍ରେସର ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ହେଉଛି। କଂଗ୍ରେସର ସ୍ଥିତିରେ କିଛି ସୁଧାର ଆସିବ କି ବୋଲି ପ୍ରଶ୍ନ ଉଠିଛି। ଦୀର୍ଘ ଦିନ ଧରି ଦେଶ ତଥା ରାଜ୍ୟରେ ଶାସନ ଦାୟିତ୍ୱରେ ରହି ଆସିଥିବା କଂଗ୍ରେସ ଓଡ଼ିଶାରେ 23 ବର୍ଷ ହେବ କ୍ଷମତାରୁ ଦୂରରେ ରହିଛି। ଏପରିକି 2019 ମସିହାରୁ ମୁଖ୍ୟ ବିରୋଧୀରୁ ଆସନରୁ ହଟି ତୃତୀୟ ସ୍ଥାନକୁ ଖସିଛି। ଦଳର ବିଧାୟକଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି।

ଏଭଳି ସ୍ଥିତିରେ କଂଗ୍ରେସର ତିନି ଦିନିଆ ଜାତୀୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ରାଜ୍ୟ କଂଗ୍ରେସର ନେତୃବୃନ୍ଦ ଯୋଗ ଦେଇଛନ୍ତି। ପିସିସି ସଭାପତିଙ୍କ ସମେତ ରାଜ୍ୟର କଂଗ୍ରେସ ବିଧାୟକ, ପିସିସି ସଭ୍ୟ ତଥା ବରିଷ୍ଠ ନେତାମାନେ ରାୟପୁର ଅଧିବେଶନରେ ସାମିଲ ହୋଇଛନ୍ତି। ସମଗ୍ର ଦେଶର ବହୁ କଂଗ୍ରେସ ନେତା ଓ କାର୍ଯ୍ୟକର୍ତା ଏହି ଅଧିବେଶନରେ ସାମିଲ ହୋଇଛନ୍ତି।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସ ପାଇଁ ଏହି ଅଧିବେଶନ ବହୁ ଗୁରୁତ୍ବ ବହନ କରୁଛି। ଦଳ ପୁଣିଥରେ କିଭଳି ସାଧାରଣ ଜନତାଙ୍କ ନିକଟରେ ବିଶ୍ବାସଭାଜନ ହେବ ,ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରାଯିବ ସେ ନେଇ ଅଧିବେଶନରେ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି। କିନ୍ତୁ ଓଡିଶା ପାଇଁ କିଛି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଛି କି? ନା କେବଳ ଏକ କମନ ପ୍ଲାଟଫର୍ମର ନିଷ୍ପତ୍ତିକୁ ରାଜ୍ୟ ନେତୃତ୍ୱ ଉପରେ ଲଦି ଦିଆଯିବ। ଏମିତି ପ୍ରଶ୍ନ ଏବେ ଉଠିଛି।

ଓଡ଼ିଶାର ରାଜନୈତିକ ଚିତ୍ର, ଲୋକଙ୍କ ମାନସିକତା, ପ୍ରସଙ୍ଗ ଆଦି ଭିନ୍ନ। ତେଣୁ ଓଡିଶାବାସୀଙ୍କ ହୃଦୟ ଜିତିବା ପାଇଁ ଓଡ଼ିଶାର ପ୍ରସଙ୍ଗକୁ ହିଁ ଅସ୍ତ୍ର କରିବାକୁ ପଡିବ ବୋଲି କୁହାଯାଉଛି। ଓଡ଼ିଶାର ରାଜନୈତିକ ଚିତ୍ରକୁ ଦେଖିଲେ ଏଠି ବିଜେଡି ହିଁ ସବୁଠୁ ଶକ୍ତିଶାଳୀ ଦଳ ଭାବେ ଏ ଯାଏ ରହିଛି। ବିଜେପି ଦ୍ଵିତୀୟ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ତୃତୀୟ ସ୍ଥାନରେ ଅଛି। ଗୋଟେ ପାରମ୍ପରିକ ଭୋଟ ବ୍ୟାଙ୍କ ଥାଇ ମଧ୍ୟ କଂଗ୍ରେସ ବହୁ ନିର୍ବାଚନ ଓ ଉପନିର୍ବାଚନରେ ଅମାନତ ହରାଇଛି। ଏଭଳି ସ୍ଥିତିରେ ବର୍ତ୍ତମାନ ବିଆରଏସ ଦମଦାର ଢଙ୍ଗରେ ଆସୁଛି। ତେଣୁ ଆଗକୁ କଂଗ୍ରେସ ରାଜ୍ୟରେ କେଉଁ ପୋଜିସନରେ ରହିବ ତାକୁ ନେଇ ଚର୍ଚ୍ଚା।

ଜାତୀୟ ସ୍ତରରେ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ବାତାବରଣ ତିଆରି ହୋଇଥିଲେ ମଧ୍ୟ ଓଡ଼ିଶାରେ ତାର ବିଶେଷ ପ୍ରଭାବ ପଡିନାହିଁ। ରାୟପୁରରେ ହେଉଥିବା କଂଗ୍ରେସର ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି ଚର୍ଚ୍ଚା ହେଉଛି ।

ରାଜନୈତିକ କାର୍ଯ୍ୟକ୍ରମ ସହ ବେରୋଜଗାର, ଦରଦାମ ବୃଦ୍ଧି, କୃଷି ଓ କୃଷକ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଓଡିଶା କଂଗ୍ରେସ ଏଥିରୁ କେତେ ଲାଭ ପାଇବ ତାକୁ ନେଇ ଚର୍ଚ୍ଚା। ଗତ କିଛି ବର୍ଷରେ କଂଗ୍ରେସର ରାଜନୈତିକ ସ୍ଥିତିକୁ ଦେଖିଲେ ଦଳ ଦୁର୍ବଳ ହେବା ସହ ବହୁ ଆଗଧାଡ଼ିର ନେତା ଦଳ ଛାଡିଛନ୍ତି। ଏପରିକି ଆଗକୁ ଦଳ ନିଜ ସପକ୍ଷରେ ସମ୍ଭାବନା ତିଆରି କରି ନ ପାରିଲେ ଆହୁରି ପ୍ରମୁଖ ନେତା ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି। ଏପରିକି ଭାରତ ରାଷ୍ଟ୍ର ସମିତି ବା ବିଆରଏସ ସମେତ ଯିଏ ଯେଉଁଠି ଭଲ ସୁଯୋଗ ପାଇଲା ସେଠି ମିଶି ପାରନ୍ତି ବୋଲି କୁହାଯାଉଛି।

ଯାହାକି ସର୍ବପୁରାତନ ଦଳର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛି। ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା ରାଜ୍ୟରେ ବିଜେଡିର ଦୀର୍ଘ ବର୍ଷର ଶାସନ ଯୋଗୁ ଦଳ ମଧ୍ୟରେ ବହୁ ଦାବିଦାର ତିଆରି ହୋଇସାରିଛନ୍ତି। ଏପରିକି ଧାମନଗର ଉପନିର୍ବାଚନରେ ତାର ପ୍ରତିଫଳନ ଦେଖିବାକୁ ମିଳିଛି। ଆଗକୁ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଏଭଳି ସ୍ଥିତିକୁ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି।

ବିଜେପି ଦ୍ଵିତୀୟ ଦଳ ହେଲେ ମଧ୍ୟ ତୃଣମୂଳ ସ୍ତରରେ ଦଳ ନିଜକୁ ସେତେଟା ସୁଦୃଢ଼ କରି ପାରି ନାହିଁ ବୋଲି କୁହାଯାଉଛି। କେବଳ ମୋଦି ବ୍ରାଣ୍ଡ ଓ ହାୱାକୁ ନେଇ ଦଳ ରାଜ୍ୟରେ ପୂର୍ଣ ସଫଳତା ପାଇବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ବିଆରଏସ ସବୁ ଶକ୍ତି ଖଟାଇ ନିର୍ବାଚନରେ ଗ୍ରାଣ୍ଡ ଏଣ୍ଟ୍ରି କରିବାକୁ ଯାଉଛି। ତେଣୁ କଂଗ୍ରେସ ନିଜକୁ ଏକ ପ୍ରମୁଖ ଶକ୍ତି ଭାବେ ଉଭା କରି ନ ପାରିଲେ ଦଳ ଏ ସବୁ ସ୍ଥିତିରୁ ବିଶେଷ କିଛି ଲାଭ ପାଇ ପାରିବନି ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି।

Leave A Reply

Your email address will not be published.