ଭୁବନେଶ୍ଵର:ରାଜ୍ୟ କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଶକ୍ତି ବିଭାଗର ଗୋଟେ, ଶ୍ରମ ବିଭାଗର ୩, ପରିବହନ ବିଭାଗର ଗୋଟେ, ଜଳସମ୍ପଦ ବିଭାଗର ୫ ଓ ପଞ୍ଚାୟତିରାଜ ବିଭାଗର ଗୋଟେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି ।
ଶ୍ରୀମତୀ ଗର୍ଗ କହିଛନ୍ତି, ହାଡୁଆ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ୍ ଲାଇନ୍ ପାଇଁ ଟେଣ୍ଡର ମଞ୍ଜୁର କରାଯାଇଛି। ଏହା ଦ୍ବାରା କଟକଜିଲ୍ଲା ବଡ଼ମ୍ବାର ୭୬, ନରସିଂହପୁର ଓ ତିଗିରିଆର ୫ ଲେଖାଏଁ ଗ୍ରାମବାସୀ ଉପକୃତ ହେବେ। ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ହୀରାକୁଦରୁ ଜଳ ଉତ୍ତୋଳନ କରି ଜଳ ଯୋଗାଣ ବ୍ୟବସ୍ଥା ହେବ। ସମ୍ବଲପୁର ଜିଲ୍ଲାର ୬ ହଜାର ୨୧୦ ହେକ୍ଟର ଜମି ଜଳସେଚିତ ହେବ।
ସେହିପରି ଅଟଳ ବସଷ୍ଟାଣ୍ଡ ପାଇଁ ୩୪୦୦ କୋଟିର ବ୍ୟୟ ଅଟକଳ କରାଯାଇଛି। ୩୧୮ଟି ବସଷ୍ଟାଣ୍ଡର ଉନ୍ନତୀକରଣ ହେବ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆବଶ୍ୟକତା ଅନୁଯାୟୀ ବସଷ୍ଟାଣ୍ଡ ପ୍ରକଳ୍ପର ସାମଗ୍ରିକ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯିବ । ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସମେତ ସହରାଞ୍ଚଳରେ ବସଷ୍ଟାଣ୍ଡକୁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀ ବ୍ୟବସ୍ଥାରେ ବର୍ଗୀକୃତ କରାଯିବ । ଯୋଜନା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ବାରା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଆର୍ଥିକ ବର୍ଷ ୨୦୩୧-୩୨ ପର୍ଯ୍ୟନ୍ତ ୩,୪୦୦ କୋଟି ବଜେଟ ଅନୁମୋଦନ ହୋଇଛି ।
ସେହିପରି ଶିଳ୍ପାଞ୍ଚଳରେ ବିଜୁଳି ସମସ୍ୟା ଦୂର କରିବା ପାଇଁ ବଡ଼ ନିଷ୍ପତ୍ତି । କେନ୍ଦୁଝରରେ ୧୬୪୭ କୋଟିର ବ୍ୟୟରେ ନୂଆ 2*500 mva ସବ ଷ୍ଟେସନକୁ ଅନୁମୋଦନ ମିଳିଛି। ଯାହାର କାମ ୩ ବର୍ଷରେ ସରିବ । ଓଡ଼ିଶା ଶ୍ରମ ସେବା ନିୟମାବଳୀରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି।