ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ । ପ୍ରଥମ ଥର ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାମୁହିକ ମନ୍ତ୍ରୀ ପ୍ରଦାନ କରିଛନ୍ତି ଇସ୍ତଫା ପତ୍ର । ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ ସହିତ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ମଧ୍ୟାହ୍ନ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
ତେବେ କେଉଁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଓ କେଉଁ ପଦବୀରେ ସେମାନେ ରହିଥିଲେ । ମିଳିଥିବା ସୂଚନା ମୁତାବକ ମନ୍ତ୍ରୀମଣ୍ଡଳରେ ଥିବା ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ଏଥିସହିତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ଆଜି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଉଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଇସ୍ତଫା ଦେଇଛନ୍ତି , ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦେଇଛନ୍ତି ।
ଖାଦ୍ୟ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସସି, ଏସଟି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପ୍ରତି ପାଳିରେ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ କରିଛନ୍ତି । ସେହିକ୍ରମରେ ଚଳିତ ଥର ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି । ଏବଂ ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ନବୀନଙ୍କ ନୂଆ ଟିମରେ କିଛି ନୂଆ ଚେହେରା ସାମିଲ ହେବାକୁ ଥିବା ବେଳେ କିଛି ପୁରୁଣାଙ୍କୁ ନୂଆ ବିଭାଗ ଦିଆଯାଇପାରେ । ମନ୍ତ୍ରିମଣ୍ଡଳରେ ୧୦ରୁ ୧୨ ଜଣ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନଙ୍କ ବିଭାଗ ପରିବର୍ତ୍ତନ ହେବ । ଆସନ୍ତା ଜୁନ ୨୨ତାରିଖରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପାଇଁ ରାଜଭବନକୁ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଛି।
Comments are closed.