Latest Odisha News

BREAKING NEWS

କାନପୁରରେ କାହିଁକି ଘଟିଲା ହିଂସା? ଗୁଣ୍ଡାଙ୍କୁ ଛଡାଯିବନି କହିଲେ ଯୋଗୀ

କାନପୁର: କାନପୁରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ବ୍ୟସ୍ଥ ଥିଲେ । ଅନ୍ୟପଟେ କାନପୁରର ବେକନଗଂଜ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ପଥର ମାଡ । ହେଲେ କାହିଁକି ଘଟିଲା ଏପରି ହିଂସାକାଣ୍ଡ ? ଏହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚା ଚାଲିଛି । ଏହି ହିଂସାକାଣ୍ଡରେ କିଏ ସଂପୃକ୍ତ ? । କାହା ଷଡ଼ଯନ୍ତ୍ରରେ ଏଭଳି ହିଂସାକାଣ୍ଡ ଘଟିଛି, ତାହାର ତଦନ୍ତ ପୋଲିସ କରୁଥିବା ବେଳେ ହିଂସାକାରୀଙ୍କୁ କଠୋର ଦଣ୍ଡ ଦେବାପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଦୁଇଗୋଷ୍ଠୀଙ୍କ ମଧ୍ୟରେ ହିଂସାକୁ ନେଇ ଗଣମାଧ୍ୟମରେ ମଧ୍ୟ ଭିଡିଓ ପ୍ରସାରିତ ହୋଇଥିଲା । ଏଥିରେ ଦେଖାଯାଇଥିଲା ଦୁଇଗୋଷ୍ଠୀ ପଥର ଫିଙ୍ଗିବାରେ ବ୍ୟସ୍ଥ ରହିଛନ୍ତି । ଏପରିକି ପୋଲିସ ଉପରକୁ ପଥର ଫିଙ୍ଗା ଯାଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଥିଲା । ପରେ ପୋଲିସ ହିଂସାକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଗତକାଲିର ହିଂସାକାଣ୍ଡରେ ଜଡିତ ଥିବା ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ପୋଲିସ ଗିରଫ କରିଥିବା କହିଛି । ମାଷ୍ଟରମାଇଣ୍ଡ କୁହାଯାଉଥିବା ହାୟାତ୍ ଜାଫର ହାସମୀକୁ ପୋଲିସ ଖୋଜୁଛି । ତେବେ ହିଂସାରେ ଆଉ କାହାର ହାତ ଅଛି କି ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ ପରିସରରେ ରହିଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

କାନପୁରର ବେକନଗଂଜ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲି ପଥର ଫିଙ୍ଗିବା ଘଟଣା ଉଗ୍ର ରୂପ ନେଇଥିଲା । ଏହି ହିଂସାକାଣ୍ଡରେ ଅନେକ ଲୋକ ଆହତ ହୋଇଥିଲେ । ପୋଲିସ ମଧ୍ୟ ଅଟକାଇବାକୁ ଯାଇ ପଥର ମାଡରେ ଆହତ ହୋଇଥିଲା । ଶୁକ୍ରବାର ନମାଜ ପାଠ ପରେ ଏହି ହିଂସାକାଣ୍ଡ ଘଟିଥିବା ପୋଲିସ କହିଛି । ଅଭିଯୋଗ ଅନୁସାରେ ମହମ୍ମଦଙ୍କ ନାମରେ ଟିପ୍ପଣୀକୁ ନେଇ କିଛି ଲୋକ ବନ୍ଦ ଡାକରା ଦେଇଥିଲେ । ପ୍ରଥମେ ଦୋକାନ ବନ୍ଦ କରିବା ପାଇଁ ମୁସଲମାନମାନେ ସମସ୍ତ ଦୋକାନିଙ୍କୁ କହିଥିଲେ । ତେବେ କିଛି ଦୋକାନି ଦୋକାନ ବନ୍ଦ କରିନଥିଲେ । ଏହି କାରଣରୁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା ।

କିଛି ଲୋକ ଏହାପରେ ପଥର ଫିଙ୍ଗିଥିବା କିଛି ଦୋକାନି ଅଭିଯୋଗ କରିଥିଲେ । ପୋଲିସ ଆସିବା ପରେ ଭିଡ ଭିତରୁ ଲୋକେ ପୋଲିସ ଉପରକୁ ମଧ୍ୟ ପଥର ଫିଙ୍ଗୁଥିବା ଭାଇରାଲ ଭିଡିଓରେ ଦେଖାଯାଇଥିଲା । ଘଟଣା ପରେ ପୋଲିସ ଏପର୍ଯ୍ୟନ୍ତ ୩୬ ଜଣଙ୍କ ନାମରେ ଏଫଆଇଆର ରୁଜୁ କରିଥିବା ବେଳେ ୧୮ ଜଣଙ୍କୁ ଗିରଫ କରାଯାଇଥିବା କହିଛି।

ପୋଲିସ୍ କମିଶନର ଏବଂ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଠିକ୍ ଭାବେ କରାଯିବ ବୋଲି କହିଛନ୍ତି । ପୋଲିସ ସୂଚନା ଅନୁସାରେ ଏହି ହିଂସାରେ ଉପଦ୍ରବକାରୀମାନେ ଡଜନରୁ ଅଧିକ ଯାନବାହନ ପୋଡି ଦେଇଛନ୍ତି । ଏହି ମାମଲାରେ ମୋଟ ତିନୋଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ଏହି ଘଟଣାକୁ ନେଇ ଆଜି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ କିଛି ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଗଣମାଧ୍ୟମ ଆଗରେ ସେ କହିଛନ୍ତି ଘଟଣା ହେବାର କାରଣ କିଛି ଲୋକେ ଦୋକାନ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଅନ୍ୟ ପକ୍ଷର ଲୋକମାନେ ବିରୋଧ କରିଥିଲେ, ଯେଉଁ କାରଣରୁ ମୁହାଁମୁହିଁ ଓ ପଥର ଫିଙ୍ଗିବା ଘଟଣା ଘଟିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଏବଂ ୧୨ ଟି କମ୍ପାନୀ PAC କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏଥି ସହିତ, ଯେଉଁମାନେ ଶାନ୍ତିକୁ ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଥିଲେ । ଫଟୋଗ୍ରାଫ୍ ଏବଂ ଭିଡିଓ ମାଧ୍ୟମରେ ହିଂସାକାରୀଙ୍କ ପରିଚୟ ଖୋଜା ଯାଉଛି । ରାଜ୍ୟରେ ହିଂସାକୁ ପ୍ରସୟ ଦିଆଯିବ ନାହିଁ ବୋଲି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ।

Leave A Reply

Your email address will not be published.