Latest Odisha News

BREAKING NEWS

ଶେରଗଡ଼ରୁ-ପୁରୀକୁ ଗଡ଼ିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍

ଭୁବନେଶ୍ୱର: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଛି ପ୍ରଥମ ଏସି ବସ୍ ଜଗନ୍ନାଥ  ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ଶେରଗଡ଼-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ୍ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଛନ୍ତି । ଓଏସ୍ଆରଟିସି ପକ୍ଷରୁ ଏହି ବସ୍ ସେବା ଆରମ୍ଭ କରାଯାଇଛି ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଶେରଗଡ଼-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ଼ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଞ୍ଜାମ ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, 5T ସ୍କୁଲ୍ ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଞ୍ଜାମ ସବୁବେଳେ ଆଗରେ ରହିଛି । ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି 5T ସ୍କୁଲ୍ ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।

ପଞ୍ଚାୟତିରାଜ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ । ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲାପାଳ, OSRTCର ଅଧିକାରୀ ଓ ଶେରଗଡ଼ର  ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.