ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପାଳନର ତାରିଖ ପରିବର୍ତ୍ତନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ମାର୍ଚ୍ଚ ୫ରେ ଜୟଦେବ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ପାଳନ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ‘ବିଶିଷ୍ଟ ଅତିଥି’ ଭାବରେ ଯୋଗଦେବାକୁ ଏହି ଚିଠିରେ ସେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।
ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ପାଳନ କରିବେ। କିମ୍ବଦନ୍ତୀ ନେତାଙ୍କ ସ୍ମୃତିଚାରଣ ପାଇଁ ସନ୍ଧ୍ୟା ୭ଟାରୁ ଜୟଦେବ ଭବନରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମୁଁ ଆପଣଙ୍କୁ ଏହି ଅବସରରେ ଜଣେ ସମ୍ମାନିତ ଅତିଥି ଭାବରେ ଯୋଗଦେବାକୁ ଅନୁରୋଧ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।
ଅପରପକ୍ଷରେ ପୂର୍ବରୁ ୫ ମାର୍ଚ୍ଚରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହୁଥିବା ବେଳେ ଚଳିତ ବର୍ଷ ନୂଆ ସରକାର ଏହି ଛୁଟିକୁ ବାତିଲ କରିଛନ୍ତି। ଏପରିକି ୫ ମାର୍ଚ୍ଚରେ ଓଡ଼ିଶାର ସମସ୍ତ ସ୍କୁଲ ଖୋଲା ରହିବ ବୋଲି ସେ ଘୋଷଣା କରିଛନ୍ତି।
Comments are closed.