ଭୁବନେଶ୍ୱର: ଆଜି ସ୍ବାୟତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକକେନ୍ଦ୍ରିକ ମୋବାଇଲ୍ ଫୋନ୍ ଆପ୍ଲିକେସନ୍ର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ଦୁଇଟି ଲଞ୍ଚ୍ ହେବା ଫଳରେ ନଗରାଞ୍ଚଳ ପୌର ସଂସ୍ଥାଗୁଡ଼ିକ ଅନ୍ଲାଇନ୍ ଯୋଗେ ‘ୟୁଟିଲାଇଜେସନ୍ ସାର୍ଟିଫିକେଟ୍’ ଦାଖଲ କରିପାରିବେ। ଫଳରେ ଅର୍ଥନୈତିକ ପରିଚାଳନା କାର୍ଯ୍ୟ ଉତ୍ତମରୂପେ କରାଯାଇପାରିବ।
ଆଜି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ସ୍ବାୟତ ଶାସନ ଦିବସ ପାଳନ ହୋଇଥିଲା। ବିଶେଷକରି, ମହାମାରୀ ସମୟରେ ନଗରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ବର୍ଦ୍ଧିଷ୍ଣୁ ଆକାଙ୍କ୍ଷା ପୂରଣ କରିବାକୁ ନଗରାଞ୍ଚଳ ପୌରପାଳିକାମାନେ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ଏଥିରେ ଦେଇଥିବା ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ସହରାଞ୍ଚଳର ପୌରପାଳିକାମାନଙ୍କର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ପରିମଳ ଯୋଦ୍ଧାମାନଙ୍କର ନିରନ୍ତର ଏବଂ ଉତ୍ସର୍ଗୀକୃତ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ଏଥିସହ ରାଜ୍ୟର କେତେକ ନଗରାଞ୍ଚଳ ପୌରପାଳିକାରେ ୧୦୦ଟି ‘ଫଙ୍କସନାଲ ମାଇକ୍ରୋ କମ୍ପୋଜିଟ୍ ସେଣ୍ଟର୍’ ଏବଂ ୫୦ଟି ‘ଫଙ୍କ୍ସନାଲ୍ ମ୍ୟାଟେରିଆଲ୍ ରିକଭରି ଫ୍ୟାସିଲିଟିଜ୍’କୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହାଛଡ଼ା ସେ ୫୧ ମଳ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବ୍ୟବସ୍ଥା ଯେମିତି ନିଶ୍ଚିତ ଭାବେ ସମସ୍ତ ସହର ଓ ନଗରରେ ବ୍ୟାପକ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ବାରୋପ କରିଛନ୍ତି।
Comments are closed.