Latest Odisha News

BREAKING NEWS

LawAndOrderReview:ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା;ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଆବଶ୍ୟକ । ପୋଲିସ ସହିତ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଅପରାଧ ନିୟନ୍ତ୍ରଣରେ ଅଧିକ ସଫଳତା ଆସିପାରିବ । ଯେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପୋଲିସ ପ୍ରଶାସନ ପାଇଁ ଖୁବ୍ ସହାୟକ ହୋଇପାରିବେ । ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସଫଳତା ପାଇଁ ଯେପରି ଟିମ୍‌ ସ୍ପିରିଟ୍‌ରେ କାମ କରାଯାଉଛି, ସେହିଭଳି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଟିମ୍‌ ସ୍ପିରିଟ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ସମ୍ପୂର୍ଣ୍ଣ ଭାବେ ଆଗୁଆ ପଦକ୍ଷେପ ବା Pro Active Action ନେବା ଅତ୍ୟନ୍ତ ଜରୁରୀ । ବିଭିନ୍ନ ଅଞ୍ଚଳର ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କ୍ରାଇମ୍‌ ମ୍ୟାପିଙ୍ଗ୍ କରିବା ଜରୁରୀ । ଏହା ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ସାଧାରଣ ଲୋକଙ୍କ ସହିତ ବନ୍ଧୁ ଭଳି ସୁ-ସମ୍ପର୍କ ରକ୍ଷା କରିପାରିଲେ ପୋଲିସକୁ ସୂଚନା ମିଳିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ପୋଲିସକୁ ମଧ୍ୟ ଅନେକ ସ୍ଥଳରେ ଆଗୁଆ ପଦକ୍ଷେପ ନେବା ପାଇଁ ସୁବିଧା ହେବ ।

ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା ଦ୍ୱାରା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଆସ୍ଥା ମଧ୍ୟ ସୃଷ୍ଟି ହୋଇପାରିବ।

ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନେ ଜିଲ୍ଲାସ୍ତରରେ ନିୟମିତ ଭାବେ ଜିଲ୍ଲାର ଆଇନ କାନୁନ ପରିସ୍ଥିତି ସମୀକ୍ଷା କରି ପୁଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପଠାନ୍ତୁ । ବିଭିନ୍ନ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିୟମିତ ଭାବେ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ପୁଲିସ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

Leave A Reply

Your email address will not be published.