Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଉଦଘାଟିତ୍

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଉଦଘାଟିତ ହୋଇଛି ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପିତ କରିଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପ୍ରଥମ ବ୍ୟାଚ୍ ପିଜି ପାଠ୍ୟକ୍ରମ ।

ମୋଟ ୧୫ଟି ବିଭାଗ ଖୋଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୬ଟି ବିଭାଗକୁ ଅନୁମତି ମିଳିଛି । ଆଉ ୯ଟି ବିଭାଗ ପର୍ଯ୍ୟାୟ କ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗରେ ୨୪ଟି ସିଟ୍ ପାଇଁ ପିଜି ଓ ୬ଟି ସ୍ପେଶାଲ MS/MD ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି ।

ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏ ସିଟ୍ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨, ଶିଶୁରୋଗ ବିଭାଗରେ ୪, ଶ୍ୱାସରୋଗ ବିଭାଗରେ ୩ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି ୭୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଏହି ଅନୁଷ୍ଠାନ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ପାଠ୍ୟକ୍ରମ  ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ ।

Comments are closed.