Latest Odisha News

BREAKING NEWS

ରାଜ୍ୟର ଦୀର୍ଘତମ ଫ୍ଲାଏଓଭରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ନବନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଯୋଡ଼ାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ବିଶାଳ ସିଂ, ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ସାହୁଙ୍କ ସମେତ ଅନେକ ସରକାରୀ କର୍ମଚାରୀ ଓ ଯୋଡ଼ାବାସୀ ଉପସ୍ଥିତ ଥିଲେ।

ଡିଏମ୍‌ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇଥିଲା ବେଳେ ଏହାର ନିର୍ମାଣ ଦାୟିତ୍ବ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)। ଜାତୀୟ ରାଜପଥ ୫୨୦ର ରଣାଶାଳ ଛକ ଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ୪.୪୮୭ କି.ମି. ଲମ୍ବ ନିର୍ମାଣ ହୋଇଥିଲା ବେଳେ ତିନି ଲେନ୍ ବିଶିଷ୍ଟ ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢେ଼ ପାଞ୍ଚ (୫.୫) ମିଟର ରହିଛି। ସେହିପରି ଏହି ଫ୍ଲାଏଓଭରର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ରହିଛି।

ଫ୍ଲାଏ ଓଭର କାର୍ଯ୍ୟକ୍ଷମ ହେବା ଦ୍ବାରା ଖଣିଜ ପଦାର୍ଥ ପରିବହନର ଯାତାୟାତ ସହଜ ସାଧ୍ୟ ହୋଇପାରିବ। ଯାହା ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହିତ ସଧାରଣ ଟ୍ରାଫିକର ପୃଥକୀକରଣ ହେତୁ ସାଧାରଣ ଜନତାଙ୍କ ଯାତାୟାତ ସୁବିଧା ହେବା ସହିତ ଟ୍ରାଫିକ ଜାମ ଓ ଦୁର୍ଘଟଣା ଏଡାଇ ଯାଇ ପାରିବ। ପ୍ରଦୂଷଣ ହାର କମିବା ସହିତ ବଜାର ଜାଗାର ବିକାଶ ହୋଇ ପାରିବ। ଟ୍ରାଫିକ ସମସ୍ୟାରେ ହ୍ରାସ, ମାର୍କେଟ, ସ୍କୁଲ, ଡ଼ାକ୍ତରଖାନା ଯିବା ପାଇଁ ଉନ୍ନତ ରାସ୍ତା ତଥା ପ୍ରଦୂଷଣ ହାରରେ ହ୍ରାସ ପାଇଁ ଯୋଡ଼ା ଫ୍ଲାଏଓଭର ଯୋଡ଼ାବାସୀଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବାରେ ନିଶ୍ଚିତ ଭାବେ ସହାୟକ ହବ ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଏଥ‌ିପାଇଁ ଯୋଡ଼ା ବାସୀ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.