Latest Odisha News

BREAKING NEWS

ହାତୀମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାରେ ଶନିବାର ଦିନ ବିଦ୍ୟୁତ୍ ଆଘାତରେ ୭ଟି ହାତୀ ମୃତ୍ୟୁ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ କେଉଁ ପରିସ୍ଥିତି ତଥା କାରଣ ଯୋଗୁଁ ୭ଟି ହାତୀର ଶୋଚନୀୟ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ କୁ ରବିବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ଘଟଣାରେ ସମ୍ପୃକ୍ତ ଅପରାଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓଡାପଡା ବ୍ଲକ ଅଧିନସ୍ଥ କମଳାଙ୍ଗ ଗ୍ରାମରେ ଶୁକ୍ରବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଗୁଡିକଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ ଏହି ଘଟଣାରେ ଜଙ୍ଗଲ ଓ ପରିବେଶ ବିଭାଗ ଶକ୍ତି ବିଭାଗକୁ ଦୋଷାରୋପ କରିଥିଲେ ।

“ଆମେ ସରକାରଙ୍କୁ ଏହି ବିଷୟରେ ଲିଖିତ ଆକାରରେ ଜଣାଇଛୁ ଏବଂ ଏଠାରେ ଯେଉଁ ସେସୁ କର୍ମଚାରୀମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତି ବିଭାଗକୁ ଅବଗତ କରିଛୁ,” ବୋଲି କହିଛନ୍ତି ପିସିସିଏଫ ।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣା ଲାଗି ଢେଙ୍କାନାଳର ରେଞ୍ଜ ଅଫିସର ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳୀ ସେକ୍ସନର ଫରେଷ୍ଟର ପ୍ରଭାକର ରାଣା ତଥା ଗିରିଶ ଚନ୍ଦ୍ର ଦେହୁରୀଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ଯୋଗୁଁ ନିଲମ୍ବନ କରାଯାଇଛି ।

ସେହିପରି ଏସସି, ଏସଡ଼ିଓ ତଥା ଲାଇନମ୍ୟାନଙ୍କୁ ନିଲମ୍ବନ କରାଯିବା ସହିତ ବିଦ୍ୟୁତ ବିଭାଗର ଜେଇଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.