ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି।
ବିଜେପି ସରକାରଙ୍କ ଏହା ଦ୍ୱିତୀୟ ବଜେଟ୍। ଯାହାର ମୋଟ ବ୍ୟୟ ଅଟକଳ ୨.୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଯାହାକି ୨୦୨୪-୨୫ ଆର୍ଥିକ ବର୍ଷର ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଆକଳନରୁ ଅଧିକ।
ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ୩୭, ୮୦୦ କୋଟିର କୃଷି ବଜେଟ ରହିଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ। ସେହିପରି ମିଲେଟ୍ ଶ୍ରୀ ଅନ୍ନ ଯୋଜନାରେ ୬୦୦ କୋଟିର ବ୍ୟୟବରାଦ କରାଯାଇଛି। ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବାକୁ ଥିବା ବେଳେ ଏହି ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି।
ଧାନଚାଷୀଙ୍କ ଅମଳ ଧାନ କ୍ବିଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର। ଏହା ଏବେ ସୁଦ୍ଧା ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଟଙ୍କା ରହିଛି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି।
୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଲକ୍ଷ୍ୟ ରହିଥିବା ବେଳେ ଯୁବବର୍ଗଙ୍କୁ ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ଦେବା ଲକ୍ଷ୍ୟ ରହିଛି। ଅପରପକ୍ଷରେ ଓଡ଼ିଶାର ବିକାଶ ସହ ସହରୀକରଣ ବ୍ୟବସ୍ଥାର ଉନ୍ନତି ସଙ୍ଗେ ସଙ୍ଗେ ବନ୍ଦର ଭିତ୍ତିକ ବିକାଶ ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି।
Comments are closed.