ଭୁବନେଶ୍ୱର: ଓଡିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ ଗସ୍ତ କରି ଉଦ୍ୟୋଗପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବେ।
ମେ ୫ ତାରିଖରେ ଅହମ୍ମଦାବାଦରେ ଏକ ବଡ ନିବେଶକ ରୋଡ୍ ଶୋ ଅନୁଷ୍ଠିତ ହେବ । ଏଥି ସହିତ ଅଗ୍ରଣୀ ଉଦ୍ୟୋଗପତିମାନଙ୍କ ସହ ରାଉଣ୍ଡଟେବୁଲ ବୈଠକ ଏବଂ One-to-One Meeting ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଓଡ଼ିଶାରେ ନିବେଶକୁ ତ୍ୱରାନ୍ୱିତ କରିବା ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ ଏବଂ ନିବେଶ ପାଇଁ ଇଣ୍ଟେଣ୍ଟ୍ ଲେଟର ମଧ୍ୟ ଆସିବ ।
ଏହି ଗସ୍ତରେ ବୟନ ଓ ପୋଷାକ, ରାସାୟନିକ ଓ ପେଟ୍ରୋକେମିକାଲ୍ସ, ମେଟାଲ୍ସ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ଔଷଧ ଓ ମେଡିକାଲ ଉପକରଣ ପରି ଉଚ୍ଚ-ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ। ଏହା ମାଧ୍ୟମରେ ପଶ୍ଚିମ ଭାରତରୁ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ସହ ଓଡ଼ିଶାର ଦ୍ରୁତ ବିକାଶଶୀଳ ଶିଳ୍ପ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ।
ଓଡ଼ିଶାର ପୋର୍ଟ-ଲେଡ୍ ବିକାଶକୁ ଆଗେଇ ନେବା ପାଇଁ ପ୍ରତିନିଧି ଦଳ ମେ ୬ ତାରିଖରେ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବେ, ଯାହା ଲଜିଷ୍ଟିକ୍ସ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନାର ସୁଯୋଗକୁ ବ୍ୟାପକ କରିବ। ମେ ୭ ତାରିଖରେ ଭଦୋଦରାରେ (ବରୋଦା) ନିବେଶକମାନଙ୍କ ସହ ବୈଠକ ଆୟୋଜିତ ହେବ ଏବଂ ସରକାରୀ କାର୍ଯ୍ୟକ୍ରମର ଅଂଶ ଭାବରେ କେଭାଡିଆ ମଧ୍ୟ ଗସ୍ତ କରାଯିବ, ଯାହା ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବ।
ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ସାମିଲ ହେବେ ।
ଏହି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୃଢ଼ ଭିତ୍ତିଭୂମି ଏବଂ ଦକ୍ଷ ମାନବସମ୍ବଳ ସହିତ ଓଡ଼ିଶା ନିବେଶକମାନଙ୍କ ପାଇଁ ଶ୍ରେଷ୍ଠ ପସନ୍ଦଯୋଗ୍ୟ ନିବେଶ ସ୍ଥାନ ଭାବେ ଆକର୍ଷଣର କେନ୍ଦ୍ର ହୋଇଛି। ଗୁଜରାଟ ଗସ୍ତ ଆମ ରାଜ୍ୟର ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ନିବେଶ ଆକର୍ଷଣ ଓ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଏହି ଗସ୍ତ ଏକ ନିର୍ଣ୍ଣାୟକ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।