Latest Odisha News

BREAKING NEWS

ସରକାରୀ ସ୍କୁଲକୁ ପୋଷ୍ୟ ପାଇଁଁ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ, ହାଇକୋର୍ଟର ବିଚାରପତି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ଚିଠି ଲ‌େଖିଛନ୍ତି।

ସ୍କୁଲରେ ହିଁ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ’ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗୀଦାରି ହୋଇପାରିବ। ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକ ମାନଙ୍କୁ ସେମାନେ ପଢିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି।

ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ଗୋଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବ। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ କହିଛନ୍ତି ଯେ ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ବାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏଥିରେ ଆପଣ ପାଠ ପଢିଥିବା ବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି। ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ ସୃଷ୍ଟି କରିଛି। ସମାଜ ପ୍ରତି ଉତ୍ତରଦାୟିତ୍ବକୁ ଠିକ୍‌ ଭାବରେ ନିର୍ବାହ କରିବା ପାଇଁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ସରକାରଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଉଲ୍ଲେଖ କରି ନିଜ ନିଜର ପ୍ରିୟ ବିଦ୍ୟାଳୟକୁ/ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

‘‘ସ୍କୁଲ ଆମକୁ ବହୁତ କିଛି ଦେଇଛି। ତାର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି। ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ଓ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ’’ ବୋଲି ଉଲ୍ଲେଖ କରି ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି।

Leave A Reply

Your email address will not be published.