ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବାର ହାଇପ୍ରୋଫାଇଲ୍ ମାମଲା ସହିତ ଜଡିତ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ବୁଧବାର ଦିନ କ୍ୟାପିଟାଲ୍ ପୋଲିସ ଷ୍ଟେସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଜୁନ୍ ୧୦ ତାରିଖରେ କ୍ୟାପିଟାଲ ଥାନାରେ ପଞ୍ଜିକୃତ ମାମଲାର ତଦନ୍ତର ଅଂଶ ଭାବରେ ପାଣ୍ଡିଆନ୍ଙ୍କୁ ୨୫ ଜୁଲାଇ ଦିନ ୧ଟାରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଗାମୀ ଜୁଲାଇ ୨୫ ତାରିଖ ଦିନ ୧ଟାରେ ଭୁବନେଶ୍ୱର ୟୁପିଡିର ଜୋନ୍ ୧, ଏସିପିଙ୍କ କାର୍ଯ୍ୟାଳୟରେ ତାଙ୍କୁ ପୂର୍ଣ୍ଣ ସହଯୋଗ ପାଇଁ ହାଜର ହେବାକୁ କୁହାଯାଇଛି। ପୋଲିସ ତାଙ୍କୁ ତାଙ୍କ ପାଖରେ କିମ୍ବା ନିୟନ୍ତ୍ରଣରେ ଥିବା ତଦନ୍ତ ସହିତ ଜଡିତ ଡକ୍ୟୁମେଣ୍ଟ, ରେକର୍ଡ, ଇଲେକ୍ଟ୍ରୋନିକ୍ ଡିଭାଇସ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ମଧ୍ୟ ଅନୁରୋଧ କରିଛି। ପୂର୍ବରୁ କ୍ୟାପିଟାଲ ଥାନା ୨ ପୂର୍ବତନ ଅଧିକାରୀଙ୍କୁ ନୋଟିସ୍ କରିଥିଲା। ମନୋଜ ମିଶ୍ର ହାଜର ହୋଇଥିଲା ବେଳେ ରାଜେଶ ବର୍ମା ହାଜର ହୋଇନାହାନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ମିଳିବା ପରେ ସେ ଆଗାମୀ ଜୁଲାଇ ୨୫ ତାରିଖରେ ହାଜର ହେଉଛନ୍ତି କି ନାହିଁ, ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଛି ।
ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ ହେରଫେର ବା ଗାୟବ ହେବା ଘଟଣାକୁ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି । ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ପୁଲିସ ଏବଂ ରାଜ୍ୟ ସରକାର ତନାଘନା ଜାରି ରଖିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କିଛି ନୂତନ ଖୁଲାସା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଶାସନିକ ମହଲରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।