Latest Odisha News

BREAKING NEWS

ମେଣ୍ଟରୁ ଫାଇଦା ନେବ କି କଂଗ୍ରେସ, କଣ କହୁଛି ସମୀକରଣ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସକୁ ଏହାର ଭରପୁର ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି। କୁହାଯାଉଛି ଯେ ଯଦି ମେଣ୍ଟ ହୁଏ ତେବେ ବିରୋଧୀ ଦଳରେ ରହିଥିବା ବିଜେପିର ଭୋଟବ୍ୟାଙ୍ଗ କଂଗ୍ରେସ ଖାତାକୁ ଆସିପାରେ। ଫଳରେ ରାଜ୍ୟରେ କଂଗ୍ରେସର ସ୍ଥିତି ମଜବୁତ ହେବ। ଲୋକଙ୍କ ଆସ୍ଥା ଭାଜନ ହେବାର ସମ୍ଭାବନା କଂଗ୍ରେସ ନିକଟରେ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି କଂଗ୍ରେସ ଆସନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଲୋଚନା ହେଉଛି।

ପୂର୍ବ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡ଼ିକୁ ୪୫ ପ୍ରତିଶତ ଅଧିକ ଭୋଟ ମିଳିଥିଲା। ସେହିପରି ବିଜେପି ପାଖାପାଖି ୩୩ ପ୍ରତିଶତ ଓ କଂଗ୍ରେସକୁ ୧୬ ପ୍ରତିଶତ ଭୋଟ ମିଳିଥିଲା। ଯଦି ଏହି ଗଣିତକୁ ଦେଖାଯାଏ ତେବେ ବିଜେଡ଼ିର ୪୫ ପ୍ରତିଶତ ଭୋଟକୁ ବାଦ ଦେଲେ ଆହୁରି ୫୫ ପ୍ରତିଶତ ଭୋଟ ସରକାରଙ୍କ ବିରୋଧରେ ରହୁଛି। ଏବେ ବିଜେଡ଼ି ଓ ବିଜେପି ଯଦି ମେଣ୍ଟ ହୁଏ ତାହା ହେଲେ ଏହି ଭୋଟ ପ୍ରତିଶତଟି ବିଭାଜିତ ହୋଇଯିବ। ଏପରିକି ଏହି ଭୋଟ ପ୍ରତିଶତର ସିଂହଭାଗ କଂଗ୍ରେସ ଖାତାକୁ ଚାଲିଯିବ ବୋଲି ଆକଳନ କରାଯାଉଛି। ଯାହା ଦଳ ପାଇଁ ବିଜୟର ବାଟ ଖୋଲିବ ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି।

ସେହିପରି କଂଗ୍ରେସ ପାଇଁ ଆଉ ଏକ ବଡ଼ ସୁଯୋଗ ହେଉଛି ଯେ ଅସନ୍ତୁଷ୍ଟଙ୍କର ଦଳ ପରିବର୍ତ୍ତନ। ବିଜେଡ଼ି କିମ୍ବା ବିଜେପିର ଅସନ୍ତୁଷ୍ଟ ନେତା ଟିକଟ ନ ପାଇଲେ କଂଗ୍ରେସରେ ସାମିଲ ହେବାର ସମ୍ଭାବନା ରହିଛି। ଯାହା ପରୋକ୍ଷ ଭାବେ କଂଗ୍ରେସକୁ ଏକ ବଡ଼ ଲାଭ ଦେବାର ସମ୍ଭାବନା ରହିଛି। ସେପଟେ କଂଗ୍ରେସ ଛାଡ଼ିବାକୁ ଚିନ୍ତା କରୁଥିବା ନେତା ଦଳ ବଦଳାଇବାକୁ ଆଉ ମନ କରୁନାହାନ୍ତି। ବିଶେଷ କରି ଜଗତସିଂହପୁର ଓ କଟକ ଜିଲ୍ଲାର କିଛି ନେତା କଂଗ୍ରେସ ଛାଡ଼ିବାକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସେମାନେ ସ୍ଥିର ହୋଇଯାଇଥିବା ଚର୍ଚ୍ଚା ହେଉଛି। ସେମାନଙ୍କ ଯୁକ୍ତି ଦର୍ଶାଇଛନ୍ତି ଯେ କଂଗ୍ରେସ ରହି ନିର୍ବାଚନ ଲଢିବେ ଆଉ ଜିତିବାର ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଅନ୍ୟ ଦଳକୁ ଗଲେ ଟିକଟ ନ ମିଳିବାର ସମ୍ଭାବନା କ୍ଷୀଣ ବୋଲି ବୟାନ ଦେଇଛନ୍ତି।

୨୦୧୯ ମସିହା ଫଳାଫଳକୁ ଦେଖିଲେ କଂଗ୍ରେସ ୯ଟି ଆସନରେ ବିଜୟ ହାସଲ କରିଥିଲେ। ଏହା ସହିତ ୩୨ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ଆସନ ଗୁଡ଼ିକରେ ପୁନର୍ବାର ବିଜୟ ହାସଲ କରିବାର ସମ୍ଭାବନା ରହିଥିବା ନେଇ କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଓଡ଼ିଶା ଗସ୍ତ ନିଶ୍ଚିତ ଭାବେ ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି ରାଜନୈତିକ ମାହୋଲରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.