Latest Odisha News

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ୫ ବର୍ଷ ମଧ୍ୟରେ କୃଷକ ପରିବାରର ଆୟ ଦ୍ୱିଗୁଣିତ

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସଶକ୍ତ ଓ ବିକାଶାଭୁମୁଖି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଏଥିରେ ସବୁବର୍ଗଙ୍କ ବିକାଶ ପାଇଁ ସଂକଳ୍ପ ନିଆଯାଇଛି । ଏହାକୁ ରାଜ୍ୟବାସୀ ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ରାଜ୍ୟରେ ନବୀନ ସରକାରର ୨୪ ବର୍ଷ ଓ କେନ୍ଦ୍ରରେ ମୋଦି ସରକାରର ୧୦ ବର୍ଷର ଶାସନକାଳରେ ସବୁଠାରୁ ଅଧିକ ପ୍ରତାରିତ ହୋଇଛନ୍ତି ଦେଶ ଓ ରାଜ୍ୟର କୃଷକ।

BjdElectrycity

କୃଷକମାନଙ୍କ ପ୍ରତି ବିଜେଡ଼ି ସରକାରର ପ୍ରତିଶ୍ରୂତି ଥିଲା ପ୍ରତି ବ୍ଲକ ସ୍ତରରେ ୩୫ ପ୍ରତିଶତ ଜଳସେଚନ, ମାଗଣା ବିଜୁଳି, ଏମଏସପିରେ ବୋନସ, ପ୍ରତିବ୍ଲକରେ ଶୀତଳ ଭଣ୍ଡାର, ସଶକ୍ତ ମଣ୍ଡି ବ୍ୟବସ୍ଥା, କାଳିଆ ସହାୟତରେ ୭୫ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ ଏବଂ ଚାଷୀର ଆୟ ଦୁଇଗୁଣା ବୃଦ୍ଧି କନ୍ତୁ ଆଜି ପ୍ରତିଶ୍ରୁତି ବଦଳରେ ପ୍ରତାରଣା କରାଯାଇଛି । ଫଳରେ ରାଜ୍ୟରେ ୨୯ଲକ୍ଷ ଚାଷୀ କାଳିଆ ସହାୟତା ପାଇବାରୁ ବଂଚିତ ଏବଂ ପ୍ରତିଶ୍ରୁତି ମୁତାବକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଇବା ପରିବର୍ତେ ୪ ହଜାର ଟଙ୍କା ପାଉଛନ୍ତି । ୧୦ଲକ୍ଷ ହେକ୍ଟର ଚାଷଜମି ପଡ଼ିଆ ପଡ଼ିଛି । ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଫସଲହାନୀ ଋଣଭାର ଏବଂ ଅଭାବୀ ବିକ୍ରୀ ଦ୍ୱାରା ଆତ୍ମହତ୍ୟା କରିଛନ୍ତି । ଉତ୍ପାଦିତ ଫସଲରର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରଟିଏ ନାହିଁ । କୃଷି ଭିତିଭୂମି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଯାହାଫଳରେ ଚାଷୀକୂଳ ବର୍ତ୍ତମାନ ବେସାହାରା ।

ଅପର ପକ୍ଷରେ ମୋଦିଙ୍କ ପ୍ରତିଶ୍ରୂତି ଅନୁଯାୟୀ ଫସଲବୀମାରେ ଚାଷୀ ସୁରକ୍ଷିତ ନୁହେଁ । ଏମଏସିପି ବୃଦ୍ଧି କରାଯାଇନାହିଁ କିମ୍ବା ଏହାକୁ ଆଇନଗତ ଗ୍ୟାରେଂଟି ମିଳିନାହିଁ । ଚାଷୀର ଆୟ ଦୁଇଗୁଣା ହେବା ପରିବର୍ତ୍ତେ ସର୍ବନିମ୍ନରେ ପଂହଚିଛି । ପିଏମ କିଷାନ ନିଧି ସହାୟତାରେ ରାଜ୍ୟରେ ୪୨ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ବଂଚିତ । ରାଜ୍ୟର କୃଷି ଓ କୃଷକର ବିକାଶ ପାଇଁ କଂଗ୍ରେସ ଦଳ ୨୦୨୪ ନିର୍ବାଚନରେ ଯେଉଁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି, ଏହା ସଂପୂର୍ଣ୍ଣ ଭାବେ କୃଷି ଓ କୃଷକ ପାଇଁ ଶତପ୍ରତିଶତ ଗ୍ୟାରେଂଟି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ କହିଛନ୍ତି ।

ନିର୍ବାଚନୀ ଇସ୍ତାହାର ଅନୁଯାୟୀ କଂଗ୍ରେସ ସରକାର ଗଠନ ହେବାପରେ କୃଷକଙ୍କର ଅର୍ଥନୈତିକ ପ୍ରଗତୀ ପାଇଁ ବୋନସ ସହ ଧାନର କ୍ରୟ ମୂଲ୍ୟ କିଂଟାଲ ପ୍ରତି ୩ ହଜାର ଟଙ୍କା, କୃଷି ଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା ଗ୍ୟାରେଂଟି ଦିଆଯାଇଛି । ଏତଦବ୍ୟତୀତ ଖରିଫରେ ୭୫% ଓ ରବିରେ ୨୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତର ଭାଗରେ ତିନିଗୋଟି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ପ୍ରତିଗାଁରେ ଗୋଟିଏ ବଡ଼ ପୋଖରୀ (ମହାବନ୍ଧ) ଖନନ କରାଯିବ । ଜଳସେଚନ ପାଇଁ ମାଗଣା ବିଜୁଳି, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଧାନକଳ, ଅଟାକଳ, ଡାଲିକଳ ଓ ଶୀତଳକରଣ କେନ୍ଦ୍ର ସ୍ଥାପନ, ପ୍ରତ୍ୟେକ ଗାଁରେ ଗୋଶାଳା, ଆଂଚଳିକ ଭିତିରେ ସମ୍ବଳଥାଇ କୃଷିଭିତିକ ଶିଳ୍ପ ସ୍ଥାପନ, ସମସ୍ତ କୃଷି ଶ୍ରମିକ ମାନଙ୍କୁ ୨ ହଜାର ଟଙ୍କା ଭତା, ସୋଲାର ପମ୍ପସେଟରେ ୯୦ ପ୍ରତିଶତ ରିହାତି, ଦୁଗ୍ଧ, ମାଛ, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବି କରାଯିବା ସହିତ କୃଷକ ପରିବାରର ଆୟ ୫ ବର୍ଷରେ ଦୁଇଗୁଣା ବୃଦ୍ଧି କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଦେଶର କୃଷକଙ୍କ ସାମଗ୍ରୀକ ବିକାଶ ପାଇଁ ଶ୍ରୀ ରାହୁଲ ଗାନ୍ଧୀ କେନ୍ଦ୍ରରେ କଂଗ୍ରେସ ସରକାର ଆସିବାପରେ ୫ଟି କୃଷକ ନ୍ୟାୟରେ ଚାଷୀଙ୍କ ଋଣ ଛାଡ଼, ନୂଆ ଆମଦାନୀ ରପ୍ତାନୀ ନୀତି ପ୍ରସ୍ତୁତ, କୃଷିଜାତ ସାମଗ୍ରୀ ଉପରୁ ଜିଏସଟି ହଟାଇ ଚାଷୀଙ୍କୁ ଜିଏସଟି ମୁକ୍ତ କରିବା ଏମଏସପିର ଆଇନଗତ ଗ୍ୟାରେଂଟି ଓ ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଏମଏସପି ପ୍ରଦାନ କରାଯିବ ବୋଲି ଗ୍ୟାରେଂଟି ଦେଇଛନ୍ତି ତାହାକୁ ଓଡ଼ିଶାର ଚାଷୀ ଦୃଢ଼ ସମର୍ଥନ ଜଣାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସ ପ୍ରବକ୍ତା ଶୁଭେନ୍ଦୁ ଶେଖର ମଲ୍ଲିକ ଓ ସଂଗ୍ରାମ କିଶୋର ମାଝୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.