Latest Odisha News

BREAKING NEWS

ମହିଳାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ବାବୁଙ୍କ ସମେତ ୩ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରୁ ସୋମବାର ରାତିରେ ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ କରି ଗିରଫ ହୋଇଥିବା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ କନଷ୍ଟେବଳ ଓ ଅନ୍ୟ ୨ ଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି।

ମିଳିଥିବା ଖବର ଅନୁଯାୟୀ, ମହିଳା ଜଣଙ୍କ ତାଙ୍କ ପରିବାର ସଦସ୍ୟଙ୍କ ସହ କୌଣସି କାରଣବଶତଃ ଝଗଡା କରି ସହିଦ ନଗର ଥାନାକୁ ଯାଉଥିବା ବେଳେ ୩ ଅଭିଯୁକ୍ତ ତାଙ୍କୁ ଅଟୋ ରିକ୍ସାରେ ଲିଫ୍ଟ ଦେଇଥିଲେ। ପରେ ସମ୍ପୃକ୍ତ ମହିଳା ଅଟୋରେ ବସିବା ପରେ ଡ୍ରାଇଭର ଥାନାକୁ ନଯାଇ ଅନ୍ୟ ଏକ ରାସ୍ତାରେ ଗାଡି ଚଳାଇଥିଲା । ଏହା ଜାଣିପାରି ସେ ଗାଡିରୁ ଡେଇଁପଡି ସାହାଯ୍ୟ ପାଇଁ ପାଟି କରିଥିଲେ।

ମହିଳା ଜଣକ ଚିତ୍କାର ବରିବାରୁ ସ୍ଥାନୀୟ ଲୋକ ଏକତ୍ରିତ ହୋଇ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା।

ତେବେ ଓଏସଏପି କନଷ୍ଟେବଳ ଜଣକର ଖଣ୍ଡଗିରି ଥାନାରେ ସୋମବାର ରାତି ୯.୩୦ରୁ ମଙ୍ଗଳବାର ସକାଳ ୭.୩୦ ପର୍ଯ୍ୟନ୍ତ ଡ୍ୟୁଟି ଥିବା ବେଳେ ସେ ଏଥିରେ ଖିଲାପ କରିଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

Leave A Reply

Your email address will not be published.