ନବରଙ୍ଗପୁର:ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ଆଣି ଜଣେ ଦମ୍ପତି ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଚିକିତ୍ସାଳୟରେ ପ୍ରସବ ପରେ ତାଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ କରାଯିବ ବୋଲି କହିଛନ୍ତି ।
ସୁଖୀଗାଁ ପଞ୍ଚାୟତ ଡାବରୀଗୁଡାର ଜଣେ ମହିଳା ଏପ୍ରିଲ ୨ ତାରିଖରେ ଉମରକୋଟ ମେଡିକାଲକୁ ଆସିଥିଲେ। ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ଶିଶୁପୁତ୍ର ଜନ୍ମ ହୋଇଛି ବୋଲି ଜଣାଇଥିଲେ। ପରେ ମହିଳାଙ୍କ ସ୍ୱାମୀଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋରାପୁଟ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦେଇଥିବା ମହିଳାଜଣକ କହିଛନ୍ତି। କୋରାପୁଟରୁ ଫେରିବା ପରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ବୋଲି କହିଥିଲେ । ମୃତ ଶିଶୁଟିର ମୃତଶରୀର ମଧ୍ୟ ଦେଇ ନଥିଲେ ବୋଲି ପ୍ରସୂତି ମହିଳା ଜଣକ ଅଭିଯୋଗ କରିଛନ୍ତି। ମେଡିକାଲ ଡାକ୍ତରଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।
ଅନ୍ୟପଟେ ଏ ସମ୍ପର୍କରେ ଉମରକୋଟ ମେଡିକାଲ ଇନଚାର୍ଜ ପ୍ରମୋଦ କୁମାର ନାୟକ କହିଛନ୍ତି ମହିଳା ଜଣକ ଗୁରୁତର ଅବସ୍ଥାରେ ମେଡିକାଲ ଆସିଥିଲେ । ଛୁଆ ଜନ୍ମ ହେବା ସମୟରେ ନବଜାତ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା, ମହିଳାଙ୍କ ସ୍ୱାମୀଙ୍କୁ ଅବଗତ କରାଯାଇଥିଲା । ମୃତ ଶିଶୁଟିକୁ ନେବୁନାହିଁ କହି ମହିଳାଙ୍କ ସ୍ୱାମୀ ଦସ୍ତଖତ ମଧ୍ୟ କରିଛନ୍ତି । ଅନ୍ୟପଟେ ମହିଳା ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ପଠାଯାଇଥିଲା । ତେଣୁ ପରିବାର ପକ୍ଷରୁ ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ।
