ସହରାଞ୍ଚଳ ବିକାଶରେ ନୂଆ ଅଧ୍ୟାୟ: ଆସନ୍ତା ୨୪ରୁ ରାଜ୍ୟବ୍ୟାପୀ ‘ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ସରକାର
ଭୁବନେଶ୍ୱର: ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କ ସଫଳ ଶାସନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସହରାଞ୍ଚଳର ବିକାଶ ଏବଂ ସାଧାରଣ ଜନତାଙ୍କୁ ପ୍ରଶାସନର ନିକଟତର କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି।
ରାଜ୍ୟ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଆସନ୍ତା ଜୁନ୍ ୨୪ ତାରିଖରୁ ସାରା ଓଡ଼ିଶାରେ ଏକ ବ୍ୟାପକ ‘ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ସହର ଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟାରେ ସାଧାରଣ ନାଗରିକଙ୍କ ସିଧାସଳଖ ସହଭାଗିତା ବଢ଼ାଇବା ଏବଂ ବିଗତ ଦୁଇ ବର୍ଷର ସଫଳତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏହି ମେଗା ଅଭିଯାନର ମୂଳ ଲକ୍ଷ୍ୟ।
ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମର ମୁଖ୍ୟ ରାଜ୍ୟସ୍ତରୀୟ ଉତ୍ସବ ଆସନ୍ତା ୨୪ ତାରିଖ ଅପରାହ୍ନ ୩:୩୦ ମିନିଟ୍ରେ ପୁରୀ ପୌରପାଳିକାର ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହେବ। ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବେ।
ଏହି ସମୟରେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକରେ ମଧ୍ୟ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଠି ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନେ ସାମିଲ ହେବେ।
ଏହି ଅଭିଯାନର ମୂଳ ମନ୍ତ୍ର ରଖାଯାଇଛି “ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ ଅନ୍ତର୍ଭୁକ୍ତ ସହର-ସୁସ୍ଥିର ସହରାଞ୍ଚଳ ଭବିଷ୍ୟତ।” ଏହା ମାଧ୍ୟମରେ “ବିକଶିତ ଓଡ଼ିଶା ୨୦୩୬” ଏବଂ “ବିକଶିତ ଭାରତ ୨୦୪୭”ର ସ୍ୱପ୍ନକୁ ସାକାର କରିବା ପାଇଁ ସରକାରୀ ଯୋଜନା ଓ ଜନତାଙ୍କ ଭିତରେ ଥିବା ଦୂରତାକୁ ସମ୍ପୂର୍ଣ୍ଣ ଭାବେ ଦୂର କରାଯିବ।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ରହିବ ନାହିଁ। ପ୍ରତିଟି ପୌରାଞ୍ଚଳରେ ସଚେତନତା ଶୋଭାଯାତ୍ରା, ୱାର୍ଡ ସ୍ତରୀୟ ସଭା, ସ୍ୱଚ୍ଛତା ଅଭିଯାନ ଏବଂ ସାଧାରଣ ଜନତାଙ୍କ ସହ ମୁହାଁମୁହିଁ ଆଲୋଚନା କରାଯିବ। ବିଶେଷ କରି ସହରବାସୀଙ୍କ ସୁବିଧା ପାଇଁ ‘ନାଗରିକ ସେବା ପ୍ରଦାନ ଶିବିର’ ଖୋଲାଯିବ। ଏହି କ୍ୟାମ୍ପ ଗୁଡ଼ିକରେ ହିତାଧିକାରୀମାନେ ସରକାରୀ ଯୋଜନା, ହୋଲଡିଂ ଟ୍ୟାକ୍ସ, ପାନୀୟ ଜଳ ସଂଯୋଗ, ଗୃହନିର୍ମାଣ ଅନୁମତି, ବ୍ୟବସାୟିକ ଲାଇସେନ୍ସ ଏବଂ ଅନ୍ୟାନ୍ୟ ପୌର ସେବା ସହଜରେ ପାଇପାରିବେ।
ଏହି ଜନସମ୍ପର୍କ ଅଭିଯାନ ସମୟରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ଥିବା ହିତାଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ କାର୍ଯ୍ୟାଦେଶ, ଏବଂ ଅଧିକାର ପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ। ଏଥିସହ ସହର ଗୁଡ଼ିକର ବିକାଶ ପାଇଁ ଏସଏଚଜି ମହିଳା, ଯୁବ ସଙ୍ଘ ଓ ସ୍ଥାନୀୟ ବଜାର କମିଟିର ସହାୟତା ନିଆଯିବ। କାର୍ଯ୍ୟକ୍ରମ ଶେଷରେ ଜନସାଧାରଣଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ମତାମତ (Feedback) ସଂଗ୍ରହ କରାଯିବ, ଯାହାକୁ ଆଧାର କରି ଆଗାମୀ ଦିନରେ ସହରାଞ୍ଚଳ ଶାସନ ବ୍ୟବସ୍ଥା ଓ ଜନସେବା ପ୍ରକ୍ରିୟାକୁ ଅଧିକ ଜବାବଦେହି ଏବଂ ଲୋକାଭିମୁଖୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
