ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଛକାପଞ୍ଝା। ଆଜି ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି। ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଡିଜିପି ଚୟନ ପାଇଁ ରାଜ୍ୟ ସରକାର ୟୁପିଏସସିକୁ ପ୍ରଦାନ କରିଥିବା ତାଲିକାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଥିଲା।
ତେବେ ଆଗକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାର ବିଚାର କରିବେ। ଆଜିର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରୁଥିବା ଆମିକସ୍ କ୍ୟୁରି ବା ନ୍ୟାୟମିତ୍ର ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ନିଜର ବହୁପ୍ରତୀକ୍ଷିତ ରିପୋର୍ଟ ଦାଖଲ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆଜି କୌଣସି ଶୁଶାଣି ହୋଇପାରିଲା ନାହିଁ। ଆସନ୍ତା ୧୬ ତାରିଖ ପାଇଁ ଅପେକ୍ଷା।
ସୂଚନା ଅନୁସାରେ ଏହି ବିବାଦର ମୂଳ କାରଣ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ୟୁନିୟନ ପବ୍ଲିକ ସର୍ଭିସ କମିଶନକୁ ପଠାଯାଇଥିବା ଆଇପିଏସ ଅଧିକାରୀଙ୍କ ତାଲିକାରେ ହୋଇଥିବା ପରିବର୍ତ୍ତନ। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାର ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଓ ସୁଶାନ୍ତ କୁମାର ନାଥଙ୍କ ଭଳି ୩ ଜଣ ବରିଷ୍ଠ ଡିଜି ପାହ୍ୟାର ଅଧିକାରୀଙ୍କ ନାମ ସୁପାରିଶ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ତାଲିକାରେ ଅତିରିକ୍ତ ଭାବେ ୮ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ସାମିଲ କରାଯାଇ ମୋଟ ୧୧ ଜଣଙ୍କ ନାମ ୟୁପିଏସସିକୁ ପ୍ରଦାନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଯୁକ୍ତି ବାଢ଼ିଛନ୍ତି ଯେ, କନିଷ୍ଠ ଅଧିକାରୀଙ୍କୁ ଏହି ଦୌଡ଼ରେ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି, ଯାହାକି ୨୦୦୬ ମସିହାର ଐତିହାସିକ ‘ପ୍ରକାଶ ସିଂହ’ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶାବଳୀର ସିଧାସଳଖ ଉଲ୍ଲଂଘନ ।


Comments are closed.