Latest Odisha News

ନବୀନଙ୍କ ଗଡରେ ବିଜେପି ଚକ୍ରବ୍ୟୂହ!

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ! ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍! ନବୀନଙ୍କ ବିପକ୍ଷରେ ଶିଶିର ମିଶ୍ର ପ୍ରାର୍ଥୀ । ବିଜେଡିର ସବୁଠୁ ହାଇପ୍ରୋଫାଇଲ୍ ସିଟରେ ଚମକାଇବ କି ଫଳାଫଳ? ଦଳ ଗଠନ ପରଠୁ ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ହିଞ୍ଜିଳି । ୨୦୦୦ ମସିହାରୁ ହିଞ୍ଜିଳିରେ ବିଜୟ ବାନା ଉଡାଇ ଆସିଛନ୍ତି ନବୀନ । ପାଞ୍ଚ ପାଞ୍ଚ ଥର ହିଞ୍ଜିଳିରୁ ଜିତିଛନ୍ତି । ପ୍ରତି ନିର୍ବାଚନରେ ବିରୋଧୀ ବଦଳିଛନ୍ତି, ହେଲେ ନବୀନ ଓ ହିଞ୍ଜିଳି ମଧ୍ୟରେ ପାଚେରୀ ସାଜି ପାରିନାହାନ୍ତି ।

ଚବିଶ ନିର୍ବାଚନରେ ନବୀନଙ୍କ ବିପକ୍ଷରେ ନୂଆ ଚେହେରା ଶିଶିର ମିଶ୍ରଙ୍କୁ ଠିଆ କରିଛି ବିଜେପି । ଜଣାଶୁଣା ବିଜେପି ନେତା ଶରତ ମିଶ୍ରଙ୍କ ସାନଭାଇ ଶିଶିର ମିଶ୍ର । ଗଞ୍ଜାମରେ ବିଜେପି ସଂଗଠନ ସୁଦୃଢ କରିବା ଦିଗରେ କାମ କରୁଛନ୍ତି ଶରତ । ସେପଟେ ୨୦୧୯ରେ ହିଞ୍ଜିଳିରୁ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ସଂଯୋଜକ ଥିଲେ ଶିଶିର ମିଶ୍ର । ତାଙ୍କୁ ନବୀନଙ୍କ ବିପକ୍ଷରେ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ବିଜେପି । ହିଞ୍ଜିଳିରେ ସ୍କୁଲ, କଲେଜ ପଢିଥିବା ଶିଶିର ନିଜକୁ ମାଟିର ପୁଅ ଭାବେ ଦେଖାଇ ଭୋଟରଙ୍କ ପାଖରେ ପହଞ୍ଚିବେ । ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ମିଶ୍ରଙ୍କ ନାତି ଶିଶିର ମିଶ୍ର । ରାଜନୈତିକ ପରିବାରରୁ ଆସିଥିବା ଶିଶିର ନବୀନଙ୍କୁ କଡା ଟକ୍କର ଦେବାକୁ ପ୍ରସ୍ତୁତି କରୁଛନ୍ତି ।

ଗଞ୍ଜାମ ବିଜେଡିର କିଲ୍ଲା ରହିଛି । ଗତ ନିର୍ବାଚନରେ ସାନଖେମୁଣ୍ଡି ଆସନ ଛାଡି ସବୁ ବିଧାନସଭା ଆସନ ଜିତିଥିଲା ବିଜେଡି । ହେଲେ ଏଥର ଗଞ୍ଜାମ ଜିଲ୍ଲାରେ ବଦଳିଛି ରାଜନୈତିକ ସମୀକରଣ । ଦିନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଥିବା ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିରେ । ହିଞ୍ଜିଳିରେ ତୃଣମୂଳସ୍ତରରେ କାମ କରିଛନ୍ତି ପ୍ରଦୀପ । ବିଜେଡିର ନିର୍ବାଚନ ପରିଚାଳନାରେ ବି ପ୍ରତ୍ୟକ୍ଷ ଭାବେ ଭାଗ ନେଇଥିଲେ । ଦଳର ସାଂଗଠନିକ ଶକ୍ତି ସାଙ୍ଗକୁ ଦୁର୍ବଳତା ବି ଭଲ କରି ଜାଣିଛନ୍ତି ପ୍ରଦୀପ । ଶିଶିରଙ୍କୁ ପ୍ରାର୍ଥୀ କରିଥିଲେ ବି ନବୀନଙ୍କ ଗଡରେ ଗେରୁଆ ବାନା ଉଡାଇବାକୁ ସ୍ୱତନ୍ତ୍ର ରଣନୀତି କରିବେ ପ୍ରଦୀପ ।

ରାଜନୈତିକ ଦୃଷ୍ଟିକୋଣରୁ ଗଞ୍ଜାମ ଜିଲ୍ଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ସବୁଠୁ ଅଧିକ ବିଧାନସଭା ଆସନ ରହିଛି ଗଞ୍ଜାମରେ । ଜିଲ୍ଲାର ବିଭିନ୍ନ ବିଧାନସଭା ମଣ୍ଡଳୀ ରହିଛି ବ୍ରହ୍ମପୁର, ଆସିକା, କନ୍ଧମାଳ ଲୋକସଭା ଆସନ ଅଧୀନରେ । ହିଞ୍ଜିଳିରୁ ନବୀନଙ୍କ ପ୍ରତିନିଧିତ୍ୱ ତିନିଟି ଲୋକସଭା ସାଙ୍ଗକୁ ଗଞ୍ଜାମ ରାଜନୈତିକ ଦୃଶ୍ୟପଟ୍ଟ ଉପରେ ସିଧାସଳଖ ପ୍ରଭାବ ରଖିଛି । ସେଥିପାଇଁ ଗତଥର ହିଞ୍ଜିଳି ଓ ବିଜେପୁର ସିଟରେ ଲଢିଥିଲେ ବି ହିଞ୍ଜିଳି ହିଁ ନିଜ ପାଖରେ ରଖିଥିଲେ ନବୀନ ।

୨୦୧୯ରେ ହିଞ୍ଜିଳି ଜିତିଥିଲେ ନବୀନ । ହେଲେ ଖସିଥିଲା ଭୋଟ୍ ପର୍ସେଣ୍ଟେଜ । ୨୦୦୦ମସିହାରେ ୨୯ହଜାର ୮୨୬ ଭୋଟରେ ଜିତିଥିଲେ ନବୀନ । ୨୦୧୪ ନିର୍ବାଚନରେ ବିଜୟ ବ୍ୟବଧାନ ବଢି ୭୬ ହଜାର ୫୮୬ରେ ପହଞ୍ଚିଥିଲା । ହେଲେ ୨୦୧୯ରେ ଏହା ୬୦ ହଜାର ୧୬୦କୁ ଖସି ଆସିଥିଲା ।

ସେପଟେ ଭୋଟ୍ ପର୍ସେଣ୍ଟେଜ୍ ବଢାଇ ଦ୍ୱିତୀୟ ସ୍ଥାନକୁ ଆସିଥିଲା ବିଜେପି । ତେଣୁ ଏଥର ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିବ । ସେପଟେ ଗଞ୍ଜାମ ବିଜେଡିରେ ଅନ୍ତକନ୍ଦଳ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ପୌର ଓ ପଂଚାୟତ ନିର୍ବାଚନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ହିଞ୍ଜିଳିରେ ଏଥର ପ୍ରଦୀପ ପାଣିଗ୍ରାହୀ ଫ୍ୟାକ୍ଟର ବି ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ । ଦଳବଦଳ ସାଙ୍ଗକୁ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ପାଇଁ ହିଞ୍ଜିଳିରେ ସୁଯୋଗ ରହିଛି । ହେଲେ ଏହାକୁ ବିଜୟରେ ପରିଣତ କରିପାରିବ କି ଗେରୁଆ ଦଳ?

Leave A Reply

Your email address will not be published.