Latest Odisha News

ପୁରୀରେ ଲକ୍‌ଡାଉନ୍‌: ଏବେବି ବଞ୍ଚିଛି ମାନବିକତା

ପୁରୀ: ମହାମାରୀର ଭୟାବହତା ମଧ୍ୟରେ ମଧ୍ୟ ମାନବିକତାର ଜ୍ୱଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି । ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ପୁରୀରେ କିଛି ଏନଜିଓ ଏବଂ ସରକାରୀ ସଂସ୍ଥା ଦ୍ୱାରା ଗରିବ ଓ ଅସହାୟ ମାନଙ୍କୁ ଦୈନିକ ଭୋଜନ ବଣ୍ଟା ଚାଲିଛି । ପୁରୀ ସହରରେ ଦେଖିବାକୁ ମିଳିଛି ଦୟା ଓ କରୁଣାର ଉଦାହରଣ । ପ୍ରକୃତରେ ଅନୁଭବ କରିହେଉଛି, ଏବେ ବି ବଞ୍ଚିଛି ମାନବିକତା ।

ପୁରୀ ସହରରେ ଇନିସପେକ୍ଟର ଅନୀଲ ସିଂହଙ୍କ ନେତୃତ୍ୱରେ ରେଲୱେ ପ୍ରୋଟେକ୍ସନ ଫୋର୍ସ ପକ୍ଷରୁ ପ୍ରତିଦିନ ୨୦୦ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।

ଏହାବ୍ୟତୀତ, ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀରେ ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ଥିବା ୪,୦୦୦ ଯାଯାବର ଅସହାୟ ବ୍ୟକ୍ତିଙ୍କୁ ଦୈନିକ ଭୋଜନ ଯୋଗାଇ ଦିଆଯାଉଛି । ସମସ୍ତ ଯାଯାବରମାନେ ୮ଟି ଅସ୍ଥାୟୀ କ୍ୟାମ୍ପରେ ରହିଥିବା ନେଇ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଏପରିକି ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ୧୯୨୧ ମସିହାରେ ସ୍ଥାପିତ ହୋଇଥିବା ପୁରୀ ସେବା ସମିତି (ପିଏସଏସ) ପକ୍ଷରୁ ସହରରେ ଥିବା ସମସ୍ତ ଗରିବ, ଅସହାୟ ଏବଂ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଦୈନିକ ଭୋଜନ ବଣ୍ଟନ କରାଯାଉଛି ।

ପିଏସଏସର ସମ୍ପାଦକ ଇପସିତ କୁମାର ପ୍ରତିହାରୀ କହିଛନ୍ତି ଯେ, ଏହି ମହତ କାର୍ଯ୍ୟ ଜନସାଧାରଣ ତଥା ଏହି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନଙ୍କଠାରୁ ସଂଗୃହିତ ଅର୍ଥ ଦ୍ୱାରା ସମ୍ପାଦନ ହୋଇପାରୁଛି ।

ଖାଲି ସେତିକି ନୁହେଁ ପୁରୀରେ ରହିଥିବା ଅନେକ ଶ୍ରଦ୍ଧାଳୁ, ବଦାନ୍ୟ ବ୍ୟକ୍ତି ବିଶେଷ ତଥା ସମାଜସେବୀମାନେ ଦୈନିକ ବୁଲା ଗାଈ, ଗୋରୁ, ଷଣ୍ଢ, ମାଙ୍କଡ଼ ଓ କୁକୁରମାନଙ୍କୁ ଭୋଜନ ଦେଉଥିବାର ଲକ୍ଷ୍ୟ କରାଯାଉଛି ।

Comments are closed.