କଟକ: ରିବନୁକ୍ଲିକ୍ ଏସିଡ (ଆରଏନଏ) ଟେଷ୍ଟ କିଟର ଅଭାବ ଯୋଗୁଁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ବିଳମ୍ବ ହେଉଛି।
ଏନେଇ ଏସସିବି ଅଧୀକ୍ଷକ ଡ. ଆନନ୍ଦ ପ୍ରସାଦ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ କିଟ୍ ଅଭାବ ହେତୁ ମାଇକ୍ରୋ ବାୟୋଲୋଜି ଏବଂ ବାୟୋକେମିଷ୍ଟ୍ରି ବିଭାଗର ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନେ ୩୯୭ ନମୁନା ପରୀକ୍ଷା କରିପାରିବେ ନାହିଁ।
ଗତ ରବିବାର ଦିନ ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଏବଂ ପୁରୀରୁ ଏହି ନମୁନା ଗ୍ରହଣ କରାଯାଇଥିବା ସେ କହିଛନ୍ତି।
ଶ୍ରୀ ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର କୋଲକାତା ଠାରୁ ଆରଏନଏ କିଟ୍ ମଗାଇଛନ୍ତି। କିଟ୍ ସୋମବାର ଅପରାହ୍ନ ସୁଦ୍ଧା ଏଠାରେ ପହଞ୍ଚିବ ବୋଲି ଆମେ ଆଶା କରୁଛୁ।
ଏ ସମ୍ପର୍କରେ ଏସସିବିର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଦେଶର ବିଭିନ୍ନ ଲ୍ୟାବରେ କରୋନା ପରୀକ୍ଷା ଚାଲିଥିବାରୁ ଆରଏନଏ କିଟ୍ର ଚାହିଦା ହଠାତ୍ ବୃଦ୍ଧି ପାଇଛି।