Latest Odisha News

BREAKING NEWS

କର୍ମଚାରୀଙ୍କୁ ତାଗିଦ, ୧୧ଟା ପରେ ଅଫିସ ଆସିଲେ ଦିନକର ଦରମା କାଟ୍

ଭୁବନେଶ୍ୱର: ଅଫିସ୍‌କୁ ଠିକ୍ ସମୟରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ସାଢେ ୭ ଘଣ୍ଟା କାମ କରିବାକୁ ପଡିବ। ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ଅଫିସରେ ନପହଞ୍ଚିବାକୁ ପଡିବ। ସାଢେ ୧୦ଟା ପରେ ଅଫିସ ପହଞ୍ଚିଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା ପରେ ଅଫିସ ଆସିଲେ ତେବେ ସେଦିନକୁ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଛୁଟି ବୋଲି ଧରାଯିବ। ଏଥିସହିତ ଦରମା ହେବ କାଟ୍। ଏପରି ନୋଟିସ୍ ବିଭାଗୀୟ କର୍ମଚାରୀଙ୍କୁ ଜାରି କରିଛି ଅର୍ଥ ବିଭାଗ।

ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ’ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନଥିଲେ ଅନୁପସ୍ଥିତ ଧରାଯିବ। ଏଥିରେ ଆହୁରି କୁହାଯାଇଛି ଯେ କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା ଆସି ପହଞ୍ଚିବେ। ଏଥିରେ ସେମାନଙ୍କୁ ଅଧା ଘଣ୍ଟାର ଗ୍ରେସ୍ ପିରିୟଡ ମିଳିବ। ଅର୍ଥାତ୍ କାରଣ ବଶତଃ ବିଳମ୍ବ ହେଲେ ସାଢ଼େ ୧୦ଟା ସୁଦ୍ଧା ସେମାନେ ଅଫିସରେ ପହଞ୍ଚି ‘ଚେକ୍ ଇନ୍’ ବା ‘ଅଫିସ୍ ଇନ୍’ କରିପାରିବେ।

କର୍ମଚାରୀମାନେ ଅଫିସରେ ଅତିକମ୍‌ରେ ସାଢ଼େ ୭ ଘଣ୍ଟା ଉପସ୍ଥିତ ରହିବେ। ତେଣୁ ଯେଉଁମାନେ ସକାଳ ସାଢ଼େ ୧୦ଟାରେ ‘ଅଫିସ୍ ଇନ୍’ କରିବେ ସେମାନଙ୍କୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ପଡ଼ିବ। ସେମାନେ ସନ୍ଧ୍ୟା ୬ଟା ପରେ ଅଫିସ୍ ଛାଡ଼ିପାରିବେ। ଏହି ନିୟମଗୁଡ଼ିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଅଫିସରେ ସାଢ଼େ ୭ ଘଣ୍ଟା ବା ତା’ଠାରୁ ଅଧିକ ସମୟ ରହିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଅଫିସରେ ୪ ଘଣ୍ଟାରୁ ଅଧିକ କିନ୍ତୁ ସାଢ଼େ ୭ ଘଣ୍ଟାରୁ କମ୍ ସମୟ ରହିଥିଲେ ଅଧା ଦିନ ଛୁଟି କାଟି ଦିଆଯିବ। ୪ ଘଣ୍ଟାରୁ କମ୍ ସମୟ ରହିଲେ ଗୋଟିଏ ଦିନ ଛୁଟି କାଟି ଦିଆଯିବ।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଆବଶ୍ୟକ ପଡ଼ିଲେ ଜଣେ କର୍ମଚାରୀ ସନ୍ଧ୍ୟା ସାଢ଼େ ୫ଟା ପରେ ବା ସାଢ଼େ ୭ ଘଣ୍ଟାରୁ ଅଧିକ ସମୟ କାମ କରିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କାମ ଶେଷ ହେବା ପର୍ଯ୍ୟନ୍ତ ଜଣେ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡ଼ିବ। ତେଣୁ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି।

Comments are closed.