Latest Odisha News

BREAKING NEWS

ଏସସିବିରେ ବିରଳ ଅସ୍ତ୍ରୋପଚାର; ଚିକିତ୍ସା କ୍ଷେତ୍ରରେ ରଚିଲା ଇତିହାସ

କଟକ: କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ଚିକିତ୍ସା କ୍ଷେତ୍ରରେ ଏକପ୍ରକାର ଇତିହାସ ସୃଷ୍ଟି କରିପାରିଛି ଏସସିବି ହସ୍ପିଟାଲ୍ ।

ପ୍ରାପ୍ତ ସୂଚନାନୁଯାୟୀ, ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ନେଇ କଟକ ଏସସିବିରେ କୀଡନି ହରାଇଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି । ପରବର୍ତ୍ତୀ ସମୟରେ ଏସସିବିର ଏକ ବିଶେଷଜ୍ଞ ଦଳ ସଫଳତାର ସହ ଅସ୍ତ୍ରୋପଚାର କରି କୀଡନି ପ୍ରତିରୋପଣ କରିଛନ୍ତି ।

ଯାହାଦ୍ୱାରା ଓଡିଶା ଚିକିତ୍ସା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଆପୋଲୋ ମେଡିକାଲରେ ବ୍ରେନ ଡେଡ୍ ଘୋଷିତ ଜଣେ ଯୁବତୀଙ୍କ କିଡନୀ କଢାଯାଇ ଏସସିବିରେ ସଫଳତାର ସହ ପ୍ରତିରୋପଣ କରିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ।

କୀଡନୀ କଢାଯାଇଥିବା ଯୁବତୀଙ୍କ ନାମ ପ୍ରିୟଙ୍କା ପାତ୍ର (୨୨) ଏବଂ ତାଙ୍କ ଘର ଦିଗପହଣ୍ଡି ଅଂଚଳ ବୋଲି ଜଣାପଡିଛି । ଏକ ଦୁର୍ଘଟଣାରେ ଗୁରୁତର ହୋଇ ପ୍ରିୟଙ୍କା ଚିକିତ୍ସିତ ହେଉଥିଲେ । ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଯାଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରବର୍ତ୍ତୀ ସମୟରେ ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଏହି ଖବର ପାଇବା ପରେ ଗତ ରାତିରେ ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ଆପୋଲୋକୁ ଯାଇ ଯୁବତୀଙ୍କ ଦେହରୁ କିଡନୀ କାଢି ଏସସିବି ଆଣିଥିଲେ । ପରେ ଉକ୍ତ ପୁରୁଷ ରୋଗୀଙ୍କ ଦେହରେ ସଫଳତାର ସହ ପ୍ରତିରୋପଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟଜଣଙ୍କ ଦେହରେ ପ୍ରତିରୋପଣ କରିବା ଚିକିତ୍ସା ପଦ୍ଧତିକୁ ଡାକ୍ତରୀ ଭାଷାରେ ‘କାଡାଭେରିକ ଟ୍ରାନ୍ସପ୍ଲାଂଟ୍’ କୁହାଯାଇଥାଏ । ଗତ କିଛି ଦିନ ତଳେ ରାଜ୍ୟରେ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଥିଲା ।

Leave A Reply

Your email address will not be published.