Latest Odisha News

BREAKING NEWS

ବର୍ଷା ଓ ବନ୍ୟା ପାଇଁ ସରକାରୀ ଅଫିସରଙ୍କ ଛୁଟି ବାତିଲ;୩ଜିଲ୍ଲାକୁ ଗଲେ ୩ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ପୂର୍ବରୁ ଛୁଟିରେ ଅଛନ୍ତି, ସେମାନଙ୍କୁ ମଧ୍ୟ ଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅଧିକାରୀଙ୍କୁ କ୍ଷେତ୍ରରେ ରହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ କୁହାଯାଇଛି।

ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଛି । ଆଇଏମଡି ଆକଳନ କରିଛି ୧୬ରୁ ୧୮ ପ୍ରବଳ ବର୍ଷା ହେବ । ୧୭ ତାରିଖରେ ବର୍ଷାର ପରିମାଣ ଆହୁରି ବଢିବ । ୧୮ ତାରିଖରେ ଟିକେ କମିବ ଏବଂ ୧୯ ରେ ପାଗ ଠିକ୍ ହୋଇଯିବ । ଜୁନ ୧ରୁ ଅଗଷ୍ଟ ୧୬ ଯାଏଁ ୯୫୩ ମିଲିଲିମିଟର ବର୍ଷା ହୋଇଛି । ଯାହା ଅନ୍ୟ ବର୍ଷ ଠାରୁ ୨୭% ଅଧିକ ବର୍ଷା ।

ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ପଠାଯାଇଛି । ସେମାନେ ପୂର୍ବରୁ ବନ୍ୟା ପରିଚାଳନା କରିଛନ୍ତି । ଏବେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପଠାଯାଇଛି ।

ବୈଠକରେ ଏସଆରସି ରାଜେଶ ପ୍ରଭାକର ପାଟିଲ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ସଚିବ ଶୋଭା ଶର୍ମା, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ବର୍ଷାରେ ୪୯ଟି ବ୍ଲକ, ୫ଟି ସହର ଓ ୩୩୧ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ପ୍ରାୟ ୫ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ୨ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୨୯୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।

Leave A Reply

Your email address will not be published.