Latest Odisha News

BREAKING NEWS

ଦିଲ୍ଲୀରେ ଓଡ଼ିଶା ଫର୍ମୁଲା !

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ କି? ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଥିଲା । ତେବେ ଦିନ ଗଡିବା ସହ ରେସରେ ନେତାଙ୍କ ବଢିଚାଲିଛି । ପରବେଶ ବର୍ମାଙ୍କ ସହ ଆଶିଷ ସୁଦ, ରେଖା ଗୁପ୍ତା, ସତୀଶ ଉପାଧ୍ୟାୟ ଓ ଶିଖା ରାୟଙ୍କ ଭଳି ନେତାଙ୍କ ନାଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାଁ ଘୋଷଣା ହୋଇନି । ଆରଏସଏସ ଓ ବିଜେପି ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ମାରାଥନ୍ ବୈଠକରେ ଏନେଇ ଆଲୋଚନା କରାଯାଉଛି ।

ଜଣେ ମୁଖ୍ୟମନ୍ତ୍ରୀ ଦୁଇ ଡେପୁଟି !

ଓଡିଶା ଭଳି ଦିଲ୍ଲୀରେ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଫର୍ମୁଲା ଲାଗୁ କରିପାରେ ବିଜେପି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବି ସମାନ ଫର୍ମୁଲାରେ ମନ୍ତ୍ରିମଣ୍ଡଳ ଗଠନ ନିଷ୍ପତ୍ତି ନେଇଥିଲା ଦଳ । ଦିଲ୍ଲୀରେ ସମାନ ଫର୍ମୁଲାରେ ଜାତି, ସଂପ୍ରଦାୟ ଗଣିତ କଷିପାରେ ବିଜେପି । ଏହାଦ୍ବାରା ସବୁ ବର୍ଗର ପ୍ରତିନିଧିତ୍ବ ଦେଇପାରିବ । ଏଭଳି ହେଲେ ଉପମୁଖ୍ୟମନ୍ତ୍ରୀ ପଦରେ ପଞ୍ଜାବୀ, ଶିଖ୍, ପୂର୍ବାଞ୍ଚଳି, ବୈଶ୍ୟ ଓ ଜାଠ୍ ସଂପ୍ରଦାୟର ନେତାଙ୍କୁ ସୁଯୋଗ ମିଳିପାରେ । କାରଣ ଏସବୁ ସଂପ୍ରଦାୟର ଭୋଟ୍ ବିଜେପିକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଛି । ଏହାସହ ଉପମୁଖ୍ୟମନ୍ତ୍ରୀ ପଦରେ ଓଡିଶା ଭଳି ଜଣେ ମହିଳାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ରେସରେ କିଏ?

ନୂଆଦିଲ୍ଲୀ ସିଟରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଜାଠ ନେତା ପରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ହରିୟାଣା, ପଶ୍ଚିମ ୟୁପି ଓ ରାଜସ୍ଥାନରେ ଜାଠ ଭୋଟବ୍ୟାଙ୍କ ମଜବୁତ କରିପାରେ ବିଜେପି । ସେହିପରି ଏବିଭିପିରୁ ରଜନୀତି ଆରମ୍ଭ କରିଥିବା ଆଶିଷ ସୁଦଙ୍କ ନାଁ ବି ଚର୍ଚ୍ଚା ହେଉଛି । ଆରଏସଏସ ସହ ଦୀର୍ଘ ଦିନ ଧରି ସଂପୃକ୍ତ ରହିଥିବା ଆଶିଷ ସୁଦ ଦିଲ୍ଲୀ ବିଜେପିର ପଞ୍ଜାବୀ ଭାଷାଭାଷୀ ନେତାଙ୍କ ମଧ୍ୟରେ ବଡ଼ ନାଁ । ଜେପି ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ଆଶିଷ ସୁଦ୍ ଏଥର ଜନକପୁରୀରୁ ଜିତିଛନ୍ତି ।

ବିଜେପି ଖେଳିବ ମହିଳା କାର୍ଡ !

ଦିଲ୍ଲୀରେ ବିଜେପି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ । ରେସରେ ରେଖା ଗୁପ୍ତା ଓ ଶିଖା ରାୟଙ୍କ ନାଁ ଆଗରେ ରହିଛି । ଆରଏସଏସ ସହ ଦୀର୍ଘ ଦିନ ଧରି ସଂପୃକ୍ତ ରହିଥିବା ରେଖା ଗୁପ୍ତା ଏବିଭିପିରୁ ରାଜନୀତି ଆରମ୍ଭ କରିଥିଲେ । ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ମହାସଚିବ ତଥା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ। ସେହିପରି ଗ୍ରେଟର କୈଳାସରୁ ଦୁଇ ଥର ବିଜେପି କାଉନସିଲର ରହିଥିବା ଶିଖା ରାୟଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ଦିଲ୍ଲୀ ବିଜେପିର ସାଧାରଣ ସଂପାଦକ ଓ ଉପସଭାପତି ପଦରେ ବି ରହିଛନ୍ତି ଶିଖା ରାୟ । ବିଜେପି ଶାସିତ କୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରେ ମହିଳା ନଥିବା ବେଳେ ଦିଲ୍ଲୀରେ ସୁଷମା ସ୍ବରାଜ, ଶିଲା ଦୀକ୍ଷିତଙ୍କ ପରି ମହିଳା ମୁଖ୍ୟମନ୍ତ୍ରୀ ରହିବାର ଇତିହାସ ରହିଛି । ତେଣୁ ଦିଲ୍ଲୀରେ ମହିଳା କାର୍ଡ ଖେଳିପାରେ ବିଜେପି ।

ମନ୍ତ୍ରୀ ପଦ ପାଇଁ ମାନସମନ୍ଥନ

ଦିଲ୍ଲୀରେ ନୂଆ ମନ୍ତ୍ରିମଣ୍ଡଳ ନେଇ ବିଜେପିର ଶୀର୍ଷ ନେତୃତ୍ବ ମାନସମନ୍ଥନ କରୁଛନ୍ତି । ଅନୁସୂଚିତ ଜାତି, ଓବିସି ଓ ବ୍ରାହ୍ମଣ ଭଳି ସବୁ ସଂପ୍ରଦାୟ ଓ ବର୍ଗକୁ କ୍ୟାବିନେଟରେ ସ୍ଥାନ ଦେବା ନେଇ ଅଙ୍କ କଷା ଚାଲିଛି । ସ୍ବଚ୍ଛ ଚେହେରାକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ୬୦ବର୍ଷରୁ କମ୍ ବୟସର ନେତା ଓ ଆରଏସଏସ ସହ ସାଂଗଠନିକ ସ୍ତରରେ ସଂପୃକ୍ତିକୁ ଦେଖାଯାଉଛି । ଅରବିନ୍ଦର ସିଂ ଲଭଲୀ କିମ୍ବା ମଜିନ୍ଦର ସିଂ ସିରସାଙ୍କ ଭଳି ଶିଖ୍ ନେତାଙ୍କ ମଧ୍ୟରୁ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯାଇପାରେ । ସେହିପରି କୈଳାସ ଗଙ୍ଗଓ୍ବାଲ, ରବିନ୍ଦର ଇନ୍ଦ୍ରଜ ସିଂଙ୍କ ଭଳି ଏସସି ନେତା ବି ମନ୍ତ୍ରୀପଦ ପାଇଁ ରେସରେ ରହିଛନ୍ତି । ବଣିଆ ସଂପ୍ରଦାୟର ନେତା ରେଖା ଗୁପ୍ତା, ବିଜେନ୍ଦର ଗୁପ୍ତା, ତିଲକରାମ ଗୁପ୍ତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ୧୦ଜଣ ଜାଠ୍ ବିଧାୟକ ଜିତିଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୟାବିନେଟରେ ପ୍ରତିନିଧିତ୍ବ ମିଳିପାରେ ।

Comments are closed.