Latest Odisha News

BREAKING NEWS

ଜେଲରୁ ମୁକୁଳିବେ ବାବା ସାରଥୀ, ହାଇକୋର୍ଟରୁ ମିଳିଲା ଜାମିନ୍

କଟକ: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଏହାଫଳରେ ବାବା ସାରଥୀଙ୍କ ଜେଲରୁ ମୁକୁଳିବା ଏକରକମ ନିଶ୍ଚିତ ହୋଇଯାଇଛି । ଏହି ଆତ୍ମଘୋଷିତ ବାବା ସାରଥୀଙ୍କୁ ଜେଲ ବଣ୍ଡ ୨ଲକ୍ଷ ଟଙ୍କା ମୁଚାଲିକା ଏବଂ ଦୁଇଜଣ ଜାମିନଦାରଙ୍କ ଦ୍ୱାରା ଏହି ଜାମିନ ପ୍ରଦାନ କରିଛନ୍ତି ଅଦାଲତ ।

ଏଥିସହିତ କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ଅଦାଲତ ବାବା ସାରଥୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏପରିକି ନିମ୍ନ ଅଦାଲତ ଯଦି ଚାହିଁବେ ତେବେ ଏହି ମାମଲାରେ ଆଉ ଅଧିକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଏହିକି ଯେ, କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା-ଝିଅଙ୍କ ପକ୍ଷରୁ ୩ୟ ମାମଲା ଦାୟର ହୋଇଥିଲା । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ସନ୍ତୋଷ ରାଉଳ ଓରଫ ବାବା ସାରଥୀଙ୍କୁ ଜାମିନ ମିଳି ସାରିଛି ।

ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ବାବା ସାରଥୀଙ୍କୁ ଅଗଷ୍ଟ ୮ ୨୦୧୫ରେ ତାଙ୍କର ବାରିମୂଳ ଆଶ୍ରମରୁ ଗିରଫ କରିଥିଲା । ବାବାଙ୍କ ନାମରେ ସେତେବେଳେ ଯୌନ ନିର୍ଯ୍ୟାତନା ଏବଂ ଠକେଇ ଅଭିଯୋଗ ହୋଇଥିଲା । ବାବାଙ୍କ ଆଶ୍ରମରେ ରହିଥିବା ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରି ସଙ୍ଗୀନ ଅଭିଯୋଗ କରିଥିଲେ ।

ସେ କଟକର ଚୌଦ୍ୱାର କେନ୍ଦ୍ରୀୟ ଜେଲରେ ଦୀର୍ଘ ୩ ବର୍ଷ ଧରି ରହିଥିଲେ ।

Leave A Reply

Your email address will not be published.