ଭୁବନେଶ୍ବର: ସମଗ୍ର ଦେଶରେ ମାଓବାଦୀ ମାନଙ୍କର ଉପସ୍ଥିତି କମିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ୨୦୨୬ ସୁଦ୍ଧା ଭାରତ ମାଓବାଦ ମୁକ୍ତ ହେବ । ଏହି କ୍ରମରେ ସାରା ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ମାଓ ଅପରେସନ ଜୋରଦାର କରାଯାଉଛି ।
ଏହି କ୍ରମରେ ମାଓବାଦୀମାନଙ୍କୁ ଓଡିଶାରୁ ମୂଳପୋଛ କରିବାକୁ ଅପରେସନକୁ ଜୋରଦାର କରିବାକୁ ଆଉ ପାଦେ ଆଗେଇଛନ୍ତି ରାଜ୍ୟସରକାର । ଆଗକୁ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ଦେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାହେବ । ଯିଏ ଏସମ୍ପର୍କରେ ସୂଚନା ଦେବ ତାଙ୍କର ପରିଚୟକୁ ଗୋପନୀୟ ରଖାହେବ । ଆଗକୁ ନୂଆ ରଣନୀତି ସହ ଗୁଇନ୍ଦା ସକ୍ରିୟତା ଉପରେ ଧ୍ୟାନ ଦିଆହେବ ବୋଲି ଆଜି କହିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡା ।
ତେବେ ନିକଟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ପକ୍ଷରୁ ଏକ ୨୪ ପୃଷ୍ଟାର ବୁକଲେଟ୍ ଜାରି କରାଯାଇଛି । ଏହି ବୁକଲେଟରେ ମାଓବାଦୀଙ୍କ ଆଗାମୀ ରଣନୀତି ସ୍ପଷ୍ଟ କରିଛି କମିଟି । ସରକାରଙ୍କ ଯୋଜନାବଦ୍ଧ ଆକ୍ରମଣ ଓ ସୁରକ୍ଷାବାହିନୀର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଗୋଟିଏ ସପ୍ତାହ ଧରି ସହିଦ୍ ସପ୍ତାହ ପାଳନ କରିବ ମାଓ ସଂଗଠନ ।
ଏହା ବ୍ୟତୀତ ଏହି ବୁକଲେଟରେ ସ୍ପଷ୍ଟ କରାଯାଇଛି ଯେ, ଗୋଟିଏ ବର୍ଷ ମଧ୍ୟରେ ୩୫୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟର ୨୮୧ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।
Comments are closed.