Latest Odisha News

BREAKING NEWS

ସରଳ ହେଲା ଚାଷୀ ପଞ୍ଜିକରଣ: ବାପା କି ଜେଜେବାପାଙ୍କ ନାଁରେ ଜମି ଥିଲେ ବି ପୁଅମାନେ କରିପାରିବେ ପଞ୍ଜିକରଣ….

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସରଳ ଏବଂ ସହଜ ହେବ ଚାଷୀ ପଞ୍ଜିକରଣ । ବାପାଦାଦା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ଏଣିକି ପୁଅମାନେ ମଧ୍ୟ ନିଜ ନାଁ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଏଣିକି ଆଉ ଦେବାକୁ ପଡ଼ିବ ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର ବା ଲିଗାଲ୍ ହେୟାର ସାର୍ଟିଫିକେଟ୍ । ରାଜସ୍ବ ନିରୀକ୍ଷକଙ୍କ ଠାରୁ ରିପୋର୍ଟ ଆଣିବାକୁ ପଡ଼ିବ ନାହିଁ । ନିଜସ୍ବ ଘୋଷଣାପତ୍ରରେ ବା (ସେଲ୍ଫ ଡିକ୍ଲାରେସନ୍ ଫର୍ମ)ରେ ଚାଷୀ ମାନେ ପଞ୍ଜୀକରଣ କରିବେ । ଏନେଇ ଖାଦ୍ୟଯୋଗଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି ।

ଯେମିତି ଜଣେ ବି ଯୋଗ୍ୟ ଚାଷୀ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେନାହିଁ, ନେଇ ରାଜ୍ୟସରକାର ପଦକ୍ଷେପ ନେଇଥିବା ବେଳେ  ଏନେଇ ଖାଦ୍ୟଯୋଗଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳମାନଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି । ବାପା କି ଜେଜେ ବାପାଙ୍କ ନାମରେ ଜମି ଥିଲେ ବି ପୁଅ ମାନେ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ। ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇ ମାନଙ୍କର ଲିଖିତ ସ୍ୱୀକୃତି ନାମା ପଞ୍ଜିକରଣ ସମୟରେ ଦାଖଲ କରିବାକୁ ହେବ ବୋଲି ପୂର୍ବରୁ କହିଥିଲେ ଯୋଗାଣ ମନ୍ତ୍ରୀ ।

ତେବେ ଚଳିତ ବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା । ଯେଉଁ ପ୍ଲଟ୍‌ ବାପା,  ଜେଜେବାପାଙ୍କ ନାମରେ ରହିଛି, ତାହାର ଉତ୍ତରାଧିକାରୀ  କେଉଁମାନେ ରହିଛନ୍ତି ତାହାର ବଂଶାନୁକ୍ରମ ପ୍ରମାଣପତ୍ର  ପ୍ରଥମେ ଆର୍‌ଆଇଙ୍କ ଠାରୁ ରିପୋର୍ଟ ଆଣିବାକୁ ପଡ଼ୁଥିଲା । ଏହା ସହିତ ଲିଗ୍‌ ହେୟାରରେ ଥିବା ସମସ୍ତ ସଦସ୍ୟଙ୍କ ଅନୁମତିପତ୍ର ବି ଦରକାର ପଡ଼ୁଥିଲା ଯାହାଫଳରେ ଭାଇ ଭାଇ ବିବାଦ ଓ ଭଉଣୀଙ୍କ ଅନୁମତି ପାଇଁ ଚାଷୀ ନାକେଦମ ହେଉଥିଲେ ।  ଭାଇ ବାହାରେ ରହୁଥିଲେ ହ୍ୱାଟ୍‌ସଆପରେ ଫର୍ମ ପଠାଇବାକୁ ପଡୁଥିଲା । ଜମି ପଟ୍ଟାରେ ବାପା-ଜେଜେବାପାଙ୍କ ନାମ ରହିଥିବାରୁ ପଞ୍ଜିକରଣ କରିବାରୁ ଚାଷୀମାନେ ବଞ୍ଚିତ ହୋଇଛନ୍ତି। ହେଲେ ଏହି ସମସ୍ୟାର ସମାଧାନ ପାଇଁ ସରକାର ସରଳ ସୂତ୍ର ବାହାର କରିଥିବା ବେଳେ ବଂଶାନୁକ୍ରମିକ ପ୍ରମାଣପତ୍ର ନଥିଲେ ସେଲ୍ପ ଡିକ୍ଳାରେସନ୍ ମାଧ୍ୟମରେ ଚାଷୀମାନେ ଜମି ପଞ୍ଜୀକରଣ କରିପାରିବେ ।

Comments are closed.