Latest Odisha News

BREAKING NEWS

ଡାକ୍ତରୀ ପଢ଼ିବା ପାଇଁ ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲେ ସରକାର

ଭୁବନେଶ୍ୱର: ଡାକ୍ତରୀ ପଢ଼ିବା ପାଇଁ ଟଙ୍କା ନାହିଁ । ବିଲରେ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ର ଇଫୁ ମଲ୍ଲିକ । ଏ ଖବର ପରେ ସରକାର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୬୨ ହଜାର ୯୫୦ ଟଙ୍କା ସହାୟତା ପ୍ରଥମ ବର୍ଷ ଏମବିବିଏସ୍ ପାଠପଢ଼ା ଲାଗି ଦେଇଛନ୍ତି ।

ଖବର ଅନୁସାରେ, NEETରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଇଫୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଚୟନ ହୋଇଥିଲେ । କିନ୍ତୁ ନାମ ଲେଖାଇବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ଫଳରେ ପର କ୍ଷେତରେ ମୂଲ ଲାଗୁଥିଲେ ଇଫୁ ।

ଏହାକୁ ସରକାର ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଜନାରେ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । 5T ସଚିବ ଭିକେ ପାଣ୍ଡିଆନ, ଇଫୁଙ୍କ ସହ କଥା ହେବ ସହ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ କହିଛନ୍ତି ।

କନ୍ଧମାଳ ଜିଲ୍ଲାର ଇଫୁ ଦ୍ୱିତୀୟ ଚେଷ୍ଟାରେ NEETରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଡାକ୍ତରୀ ପଢ଼ିବା ଲାଗି ନାମଲେଖା ଓ ହଷ୍ଟେଲ ଖର୍ଚ୍ଚ ଲାଗି ତାଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିଲା । ଆସନ୍ତା ୧୫ ତାରିଖରୁ ପାଠପଢ଼ା ଆରମ୍ଭ ହେବାକୁ ଥିବା ବେଳେ ଟଙ୍କା ପାଇଁ ମୂଲ ଲାଗୁଥିଲେ ।

Leave A Reply

Your email address will not be published.