ଭୁବନେଶ୍ୱର: ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟାପାଣି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବନ୍ୟା ମୁକାବିଲା ପାଇଁ ଆଲର୍ଟରେ ଅଛନ୍ତି ରାଜ୍ୟ ସରକାର। ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ।
ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସଆରସି କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ୨୪ × ୭ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ନିୟମିତ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗରେ ରହିଛି। ଏଥିସହିତ ବନ୍ୟା ମୁକାବିଲା, ପ୍ରସ୍ତୁତି, ସ୍ଥାନାନ୍ତରଣ, ଜନସାଧାରଣଙ୍କ ସୁରକ୍ଷା ଏବଂ ସାମଗ୍ରିକ ସୁବ୍ୟବସ୍ଥିତ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି।
ଭଦ୍ରକ ଜିଲ୍ଲା ନିମନ୍ତେ ସୁଧାଂଶୁ ମୋହନ ସାମଲ, ବାଲେଶ୍ବର ଜିଲ୍ଲା ନିମନ୍ତେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ଜିଲ୍ଲା ନିମନ୍ତେ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି। ଏଥିସହିତ ସମସ୍ତ ଜିଲ୍ଲାପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମନ୍ଵିତ ହୋଇ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.