Latest Odisha News

BREAKING NEWS

ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲରେ ତୁରନ୍ତ ଶିକ୍ଷକ ନିୟୋଜନ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିୟୋଜନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ର ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ଓ ନିର୍ଦ୍ଧାରିତ ଶିକ୍ଷକ-ଛାତ୍ର ଅନୁପାତ (PTR) ସୁନିଶ୍ଚିତ କରିବା ପାଇଁ ବିଭାଗ ଏହି ପଦକ୍ଷେପ ନେଇଛି। ଏହି କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-କମ୍-ସଚିବ ଡ. ଏନ୍‌. ଥିରୁମାଲା ନାଏକ ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

ପତ୍ରରେ କୁହାଯାଇଛି ଯେ, ଶିକ୍ଷା ଅଧିକାର ଆଇନର ଧାରା ୧୯ ଓ ୨୫ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନ୍ୟୂନତମ ଭିତ୍ତିଭୂମି ସୁବିଧା ସହ ନିର୍ଦ୍ଧାରିତ ଶିକ୍ଷକ ସଂଖ୍ୟା ଓ ଶିକ୍ଷକ-ଛାତ୍ର ଅନୁପାତ ରହିବା ବାଧ୍ୟତାମୂଳକ। କିନ୍ତୁ ୟୁଡିଆଇଏସଇ ପ୍ଲସ୍‌ (UDISE+) ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟର ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ମଧ୍ୟ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପରିଚାଳିତ ହେଉଛି।

ବିଭାଗ ମତରେ, ଏଭଳି ସ୍ଥିତି ଶିକ୍ଷାଦାନର ଗୁଣାତ୍ମକ ମାନକୁ ପ୍ରଭାବିତ କରୁଥିବା ବେଳେ ଶିକ୍ଷା ଅଧିକାର ଆଇନର ବ୍ୟବସ୍ଥା ସହ ମଧ୍ୟ ସଙ୍ଗତିପୂର୍ଣ୍ଣ ନୁହେଁ। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟଗୁଡ଼ିକର ସ୍ଥିତି ତୁରନ୍ତ ସମୀକ୍ଷା କରିବାକୁ କୁହାଯାଇଛି। ଯେଉଁଠି ଆବଶ୍ୟକ ସେଠାରେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖାସ୍ କରି ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକତା ଦେଇ ଶିକ୍ଷକ ନିୟୋଜନ କରିବାକୁ ବିଭାଗ ସ୍ପଷ୍ଟ କରିଛି। ଏଥିସହ ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟଗୁଡ଼ିକର ରାସନାଲାଇଜେସନ୍‌ ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ସମୟସୀମା ଦିଆଯାଇଛି।

ପତ୍ର ମିଳିବାର ୧୫ ଦିନ ମଧ୍ୟରେ ଏ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପର ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା), ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶର ଅନୁଲିପି ପଠାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

Leave A Reply

Your email address will not be published.