Latest Odisha News

BREAKING NEWS

ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ରହିବ ସ୍ତନ୍ୟପାନ କକ୍ଷ

ଭୁବନେଶ୍ବର: ମହିଳାଙ୍କୁ ସମ୍ମାନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ସ୍ତନ୍ୟପାନ କକ୍ଷ ରହିବ । ଏହା ସହ ସର୍ବସାଧାରଣ ସ୍ଥାନରେ ମଧ୍ୟ ଏହି କକ୍ଷ ରହିବ । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ସବୁ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ବଚ୍ଛ ସ୍ଥାନ ଚୟନ କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି । ଏହା ଦ୍ୱାରା ମା’ ମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ । ଫଳରେ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ମାନେ ଉପକୃତ ହେବେ ।

ଏହା ପୂର୍ବରୁ ଅଗଷ୍ଟ ୧୫ରେ ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ ବୋଲି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଥିଲେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଏଣିକି ଦିନଟିଏ ମାସିକ ଋତୁସ୍ରାବ ଜନିତ ଛୁଟି ପାଇବେ ।

Comments are closed.