ଚେନ୍ନାଇ: ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାରେ ଏକ ସି-ଫୁଡ୍ କାରଖାନାରେ ଆମୋନିଆ ଗ୍ୟାସ ଲିକ ହେବାର ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ଜଣା ପଡ଼ିଛି । ଏହି ଘଟଣାରେ ୬୭ ଜଣଙ୍କୁ ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ରବିବାର ପେରିଆପାଲାୟମ୍ ନିକଟସ୍ଥ ମଞ୍ଜଗରନାଇରେ ଏକ ଘରୋଇ ସି- ଫୁଡ୍ ପ୍ରକ୍ରିୟାକରଣ ୟୁନିଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଲିକ୍ ଯୋଗୁଁ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ପ୍ରଭାବିତ କର୍ମଚାରୀମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ପ୍ରଭାବିତ ୭ ଜଣ ମହିଳା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ପ୍ରଭାବିତ ୬୭ ଜଣ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ପାଇ, NDRFର ଚତୁର୍ଥ ବାଟାଲିୟନର ବରିଷ୍ଠ କମାଣ୍ଡାଣ୍ଟ ଅଖିଳେଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ, କେମିକାଲ, ବାୟୋଲୋଜିକଲ, ରେଡିଓଲୋଜିକାଲ୍ ଏବଂ ନ୍ୟୁକ୍ଲିୟର (CBRN) ଉଦ୍ଧାର କାର୍ଯ୍ୟରେ ତାଲିମପ୍ରାପ୍ତ ଏକ ବିଶେଷଜ୍ଞ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ଚେନ୍ନାଇରୁ ୩୦ ଜଣ କର୍ମଚାରୀଙ୍କ ଏକ ବିଶେଷଜ୍ଞ ଦଳ ଆବଶ୍ୟକୀୟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE), ଗ୍ୟାସ୍ ଚିହ୍ନଟ ଉପକରଣ ଏବଂ CBRN ଉଦ୍ଧାର ଉପକରଣ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଆମୋନିଆ ଗ୍ୟାସ ଲିକ୍ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ସଦସ୍ୟ ବିଶିଷ୍ଟ କମିଟିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ଅତିରିକ୍ତ ନିର୍ଦ୍ଦେଶକ ଅଛନ୍ତି । କମିଟିକୁ ୨୪ ଘଣ୍ଟା ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଏବଂ ୩ ଦିନ ମଧ୍ୟରେ ଏକ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହଯାଇଛି।
