Latest Odisha News

BREAKING NEWS

ଆରମ୍ଭ ହେବ ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍, ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ଭିତ୍ତିରେ ବସ୍ ପ୍ରାଥମିକତା ଲେନ୍। ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ (Bus Priority Lane) ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ (୧୮ କିମି) ଏବଂ ବାଣୀବିହାର–ଶିଶୁ ଭବନ (୫ କିମି) ରୁଟ୍କୁ ଚିହ୍ନଟ କରାଯାଇଛି। ଏହି ଲେନ୍‌ରେ ସ୍କୁଲ୍ ବସ୍ ଓ ଜରୁରୀକାଳୀନ ଯାନକୁ ପ୍ରାଥମିକତା ମିଳିବ। ଏହି ବ୍ୟବସ୍ଥା ଦ୍ୱାରା ବସ୍ ଯାତ୍ରା ସମୟ ୧୦ରୁ ୨୦ ପ୍ରତିଶତ କମିବା ଏବଂ ବସର ହାରାହାରି ଗତି ୧୫ରୁ ୨୫ ପ୍ରତିଶତ ବଢ଼ିବା ଆଶା କରାଯାଉଛି। ପାଇଲଟ୍ ଫଳାଫଳ ଆଧାରରେ ଭବିଷ୍ୟତରେ ଭୁବନେଶ୍ୱରର ଅନ୍ୟ ପ୍ରମୁଖ କରିଡରକୁ ମଧ୍ୟ ଏହି ବ୍ୟବସ୍ଥା ସମ୍ପ୍ରସାରଣ କରାଯିବ।

ଏ ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ, ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ଚଞ୍ଚଳ ରାଣାଙ୍କ ସମେତ ଅତିରିକ୍ତ ଡିସିପି (ଟ୍ରାଫିକ୍), ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆର୍ ଆଣ୍ଡ୍ ବି, ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମସିର ଅଧିକାରୀମାନେ ଯୋଗଦେଇଥିଲେ।

କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମଙ୍କ ପକ୍ଷରୁ ଏ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଅତିରିକ୍ତ ମୁଖ୍ୟ ସଚିବ ପ୍ରଥମ ପର୍ଯ୍ୟାୟରେ ଅଧିକ ଯାତାୟାତ ଥିବା ଦୁଇଟି କରିଡରରେ ଏହାକୁ ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଇଲଟ୍ କାର୍ଯ୍ୟକାରିତା ତଦାରଖ, ନିରନ୍ତର ମନିଟରିଂ ଏବଂ ଆବଶ୍ୟକ ସୁଧାର ଆଣିବା ପାଇଁ ବହୁ ବିଭାଗୀୟ ଏକ କମିଟି ଗଠନ କରାଯାଇଛି। ପାଇଲଟ୍ ତଥ୍ୟ ଆଧାରରେ ଭବିଷ୍ୟତରେ ଏହି ମଡେଲ୍କୁ ଅନ୍ୟ କରିଡରରେ ବିସ୍ତାର କରାଯିବ।

କ୍ରୁଟ୍ ପକ୍ଷରୁ ଟ୍ରାଫିକ୍ ପୁଲିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟ ଦୁଇଟି ଲେନ୍ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ ପର୍ଯ୍ୟନ୍ତ ୧୮ କିମି ଓ ବାଣୀବିହାର–ଶିଶୁ ଭବନ ପର୍ଯ୍ୟନ୍ତ ୫ କିମି। ବିମାନବନ୍ଦର–ନନ୍ଦନକାନନ ଲେନ୍ ସହରର ପ୍ରମୁଖ ପ୍ରଶାସନିକ, ଶିକ୍ଷା, ବାଣିଜ୍ୟିକ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି। ଏହି କରିଡରରେ ୩୪ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରମୁଖ ରୁଟ୍ଗୁଡ଼ିକରେ ପ୍ରତିଦିନ ହାରାହାରି ପ୍ରାୟ ୯ରୁ ୧୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ସେହିପରି ବାଣୀବିହାର–ଶିଶୁ ଭବନ ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ, ରାମ ମନ୍ଦିର ଓ ଭୁବନେଶ୍ୱର ରେଳ ଷ୍ଟେସନ୍ ଅଞ୍ଚଳ ସମେତ ପ୍ରମୁଖ ବାଣିଜ୍ୟିକ ଓ ଶିକ୍ଷାନୁଷ୍ଠାନମାନ ରହିଛି । ଏହି ଲେନରେ ୧୫ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରତିଦିନ ପ୍ରାୟ ୫,୦୦୦ରୁ ୬,୫୦୦ ଯାତ୍ରୀ ଯାତାୟାତ କରୁଛନ୍ତି।

ପାଇଲଟ୍ ପର୍ଯ୍ୟାୟରେ କର୍ବ-ସାଇଡ୍ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା ଆପଣାଯିବ। ଏହା ଦ୍ୱାରା ସାଧାରଣ ଯାତାୟାତରେ ସର୍ବନିମ୍ନ ବାଧା ସୃଷ୍ଟି କରି ବସ୍ ଚଳାଚଳରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି। ପାଇଲଟ୍ ପୂର୍ବରୁ ୧୦ରୁ ୧୨ ସପ୍ତାହ ଧରି ଟ୍ରାଫିକ୍ ସର୍ଭେ, ଲେନ୍ ମାର୍କିଂ, ସାଇନେଜ୍, ବସ୍ ଷ୍ଟପ୍ ଉନ୍ନତି ଓ ଟ୍ରାଫିକ୍ ସିଗ୍ନାଲ୍ ସମନ୍ୱୟ କରାଯିବ। ଏହାପରେ ୩ରୁ ୬ ମାସ ପାଇଲଟ୍ ଚାଲିବ। ଏହି ସମୟରେ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ITMS) ମାଧ୍ୟମରେ ତଥ୍ୟ ସଂଗ୍ରହ ସହ କାର୍ଯ୍ୟଦକ୍ଷତାର ନିରନ୍ତର ନିରୀକ୍ଷଣ କରାଯିବ।

Leave A Reply

Your email address will not be published.