Latest Odisha News

BREAKING NEWS

ଛାତ୍ରାବାସ ରୋଷ ଶାଳାରେ ଚୁଲି ଧୁଆଁକୁ ନା!

ଭୁବନେଶ୍ୱର: ପରିବେଶ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ । ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରାବାସରେ ଲାଗିବ ଏଲପିଜି । ଆଉ କାଠ ଚୂଲାରେ ହେବନି ବ୍ୟବହାର।ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବିଭାଗ ଅଧିନରେ ପରିଚାଳିତ ୧,୭୩୬ଟି  ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ ସମୁଦାୟ ୬,୦୦୦ ହଷ୍ଟେଲରେ ଥିବା ରୋଷେଇ ଘରକୁ ପରିବେଶ ଅନୁକୂଳ କରାଯିବ । ପର୍ଯ୍ୟାୟକ୍ରମେ ସମସ୍ତ ଛାତ୍ରାବାସରେ କାଠ ଏବଂ କୋଇଲା ଚୁଲା ଉଛେଦ କରି ଏଲପିଜି ସିଲିଣ୍ଡର ବ୍ୟବହାର କରାଯିବ । ଦୁଇ ବର୍ଷ ମଧ୍ୟରେ ଏହି ରୂପାନ୍ତରଣ ଲକ୍ଷ୍ୟ ହାସଲ ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।

ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ନା କେବଳ ଜଙ୍ଗଲ ସୁରକ୍ଷା ହେବ ବରଂ ୫ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଦିଗରେ ଜାଗରଣ ସୃଷ୍ଟି କରାଯାଇ ପାରିବ । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ବିଦ୍ୟାଳୟ ସ୍ତରରୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ ହେଲେ, ସମାଜ ଉପରେ ଏହାର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ । ବିଦ୍ୟାଳୟର ରୋଷେଇ ଘରେ ପାରମ୍ପାରିକ କାଠ ଚୂଲା ପରିବର୍ତ୍ତେ ଏଲପିଜି ସଂଯୋଗ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଲାଗି ବିଭାଗୀୟ ଶାସନ ସଚିବ ରୂପା ରୋଷନ ସାହୁ ବୁଧବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

“ଇକୋ- ଫ୍ରେଣ୍ଡଲି” ଅଭିଯାନ ଅନ୍ତର୍ଗତ କାଠ ଚୂଲାର ବ୍ୟବହାର ବନ୍ଦ କରି ଏଲ୍‌ପିଜି ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ ବୋଲି  ଶ୍ରୀମତୀ ସାହୁ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି । ୨୦୨୪-୨୫ ରୁ ୨୦୨୫-୨୬ ମଧ୍ୟରେ ସମସ୍ତ ରୋଷେଇ ଘରେ ଏଲ୍‌ପିଜି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

 

Leave A Reply

Your email address will not be published.